ମାଲବାହୀ ଜାହାଜ ଉପରେ ଋଷ୍‌ର ମିସାଇଲ୍ ଆକ୍ରମଣରେ ୪ ଭାରତୀୟ ମୃତ

0

ଓଡ଼ିଆ ନ୍ୟୁଜ୍: ମାଲବାହୀ ଜାହାଜ ଉପରେ ଋଷ୍‌ର ମିସାଇଲ୍ ଆକ୍ରମଣରେ ୪ ଭାରତୀୟ ମୃତ। ଗିନି-ବିସାଉର ପତାକା ଲଗାଇ ‘ଏମଭି ଗୋଲ୍ଡେନ୍ ଲିଓ’ ନାମକ ଏକ କାର୍ଗୋ ଜାହାଜ ଜୁଲାଇ ୧୯ (ରବିବାର) ସନ୍ଧ୍ୟାରେ ଓଡେସା ବନ୍ଦରରୁ ମକା ନେଇ ବାହାରୁଥିବା ସମୟରେ ମିସାଇଲ ମାଡ଼ ହୋଇଥିଲା । ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଅନୁଯାୟୀ, ଜାହାଜରେ ସମୁଦାୟ ୧୭ ଜଣ କ୍ରୁ ସଦସ୍ୟ ଥିଲେ, ଯେଉଁଥିରେ ଭାରତ ଏବଂ ସିରିଆର ନାଗରିକ ସାମିଲ ଥିଲେ। ଏହି ନାଗରିକଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିଲେ, ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଭାରତୀୟ ଗୁରୁତର ଭାବେ ଆହତ ହୋଇଛନ୍ତି। ୟୁକ୍ରେନ କର୍ତ୍ତୃପକ୍ଷ ଏବଂ ନୌସେନାର ସୂଚନା ଅନୁଯାୟୀ, ଓଡେସା ଉପକୂଳ ଛାଡ଼ିବାର କିଛି ସମୟ ମଧ୍ୟରେ ହିଁ ଜାହାଜ ଉପରେ ତିନୋଟି କ୍ରୁଜ୍ ମିସାଇଲ୍ ମାଡ଼ କରାଯାଇଥିଲା।

ଆକ୍ରମଣ ଯୋଗୁଁ ଜାହାଜରେ ଭୟଙ୍କର ନିଆଁ ଲାଗିଯାଇଥିଲା। ରଏଟର୍ସ (Reuters) ସମ୍ବାଦ ସଂସ୍ଥାର ସୂଚନା ଅନୁଯାୟୀ, ସମୁଦ୍ର ମଧ୍ୟରେ ଜାହାଜରୁ କଳା ଧୂଆଁ ବାହାରୁଥିବାର ଦେଖାଯାଇଥିଲା, ଯାହାକୁ ପରେ ‘ଗୋଲ୍ଡେନ୍ ଲିଓ’ ବୋଲି ଚିହ୍ନଟ କରାଯାଇଥିଲା। ୟୁକ୍ରେନ ପ୍ରଶାସନ ଏହି ଆକ୍ରମଣ ପାଇଁ ସିଧାସଳଖ ରୁଷକୁ ଦାୟୀ କରିଛି । ଏହି ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଭାରତ ସରକାର ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ ସିଧାସଳଖ ରୁଷର ନାମ ନେଇନାହିଁ, କିନ୍ତୁ ଯୁଦ୍ଧରେ ସାଧାରଣ ନାଗରିକଙ୍କ ଜୀବନକୁ ବିପଦରେ ପକାଉଥିବା ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମସ୍ତ ପକ୍ଷକୁ ଅନୁରୋଧ କରିଛି। ଭାରତ ପୁଣିଥରେ ଦୋହରାଇଛି ଯେ, ରୁଷ-ୟୁକ୍ରେନ ସଂଘର୍ଷର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହିଁ ସମ୍ଭବ ଏବଂ ଆନ୍ତର୍ଜାତୀୟ ନିୟମକୁ ସମସ୍ତେ ସମ୍ମାନ ଦେବା ଉଚିତ।

Leave A Reply

Your email address will not be published.