ଓଡ଼ିଆ ନ୍ୟୁଜ୍: ସରକାରୀ ବିଦ୍ୟାଳୟରେ ଦୟନୀୟ ସ୍ଥିତି। ଓଡ଼ିଶାର ୫,୧୧୧ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେଥିମଧ୍ୟରୁ ୮୦୦ ବିଦ୍ୟାଳୟରେ ୧୦ରୁ କମ୍ ପିଲା ଅଛନ୍ତି। ଏମିତିକି ସ୍କୁଲ ରହିଛି ଯେଉଁଠାରେ ପିଲା ଆସୁ ନ ଥିବାରୁ ଦିନେ ଦିନେ ପାଠପଢ଼ା ବନ୍ଦ ହୋଇଯାଉଛି। କେବଳ ବିଦ୍ୟାର୍ଥୀ ନୁହନ୍ତି, ଶିକ୍ଷକଙ୍କ କ୍ଷେତ୍ରରେ ମଧ୍ୟ ସ୍ଥିତି ଆହୁରି ବିଚିତ୍ର। ରାଜ୍ୟର ୧,୪୫୮ ବିଦ୍ୟାଳୟ ଜଣେ ଲେଖାଏ ଶିକ୍ଷକ/ଶିକ୍ଷୟିତ୍ରୀରେ ଚାଲିଛି। ଯଦି କୌଣସି କାରଣବଶତଃ ଶିକ୍ଷକ/ଶିକ୍ଷୟିତ୍ରୀ ଅନୁପସ୍ଥିତ ରହୁଛନ୍ତି ସେଦିନ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହୁଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରକାଶିତ ୟୁଡାଇଜ୍ ରିପୋର୍ଟରେ ଏଭଳି ତଥ୍ୟ ସାମନାକୁ ଆସିଛି।
ଭିତ୍ତିଭୂମିରେ ମଧ୍ୟ ଓଡ଼ିଶାର ବିଦ୍ୟାଳୟଗୁଡ଼ିକ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଦୃଢ଼ ହୋଇପାରି ନାହିଁ। ଓଡ଼ିଶାରେ ୬୧,୫୯୪ ବିଦ୍ୟାଳୟରେ ୭୭ଲକ୍ଷ ୮୮ହଜାର ୫୬୭ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେଥିମଧ୍ୟରୁ ୬୧,୪୭୧ ବିଦ୍ୟାଳୟରେ ଲାଇବ୍ରେରି ରହିଥିବା ବେଳେ ୫୮,୯୯୮ ବିଦ୍ୟାଳୟରେ ଖେଳପଡ଼ିଆ, ୯,୫୦୯ ସ୍କୁୂଲରେ ଡିଜିଟାଲ ଲାଇବ୍ରେରି, ୫୭,୩୪୮ ସ୍କୁଲରେ କିଚେନ୍ ଗାର୍ଡେନ୍ ଓ ୫୯,୯୨୮ ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇଛି। ଚିନ୍ତାର କାରଣ ହେଉଛି ଯେ ୧,୩୯୩ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ଶୌଚାଳୟ ନାହିଁ। ଅର୍ଥାତ୍ ୬୦,୨୦୧ ସ୍କୁଲରେ ବାଳିକା ଶୌଚାଳୟ ରହିଛି। ୩,୨୦୨ ବିଦ୍ୟାଳୟରେ ବାଳକଙ୍କ ପାଇଁ ଶୌଚାଳୟ ନ ଥିବା ରିପୋର୍ଟରେ ଦର୍ଶାଯାଇଛି।
୭,୮୬୩ ବିଦ୍ୟାଳୟରେ ସୋଲାର ପ୍ୟାନେଲ୍ ଲାଗିଛି। ୫୧,୬୫୦ ବିଦ୍ୟାଳୟରେ କମ୍ପ୍ୟୁଟର ଲାଗିଥିଲେ ମଧ୍ୟ ୪୭,୨୯୯ ବିଦ୍ୟାଳୟରେ କାର୍ଯ୍ୟକ୍ଷମ ରହିଛି। ବାକି ୪,୩୫୧ ବିଦ୍ୟାଳୟରେ କମ୍ପ୍ୟୁଟର ଅଚଳ ହୋଇପଡ଼ି ରହିଛି। ୫୧,୦୬୯ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଓ ୩୨,୪୧୪ ବିଦ୍ୟାଳୟରେ ବର୍ଷାଜଳ ଅମଳ ବ୍ୟବସ୍ଥା ରହିଛି। ମାଧ୍ୟମିକ ସ୍ତରରେ ଓଡ଼ିଶାର ଡ୍ରପ୍ଆଉଟ୍ ହାର ଜାତୀୟ ହାରଠାରୁ ଅଧିକ ରହିଛି। ପ୍ରାଥମିକ ସ୍ତରରେ ଡ୍ରପ୍ଆଉଟ୍ ହାର ୦.୯%, ଉଚ୍ଚ ପ୍ରାଥମିକ ସ୍ତରରେ ୨.୨% ଓ ମାଧ୍ୟମିକ ସ୍ତରରେ ୧୦% ହୋଇଛି। ଜାତୀୟ ସ୍ତରରେ ଡ୍ରପ୍ଆଉଟ୍ ହାର ୭% ରହିଥିବା ବେଳେ ଓଡ଼ିଶାରେ ଅଧିକ ରହିବା ଚିନ୍ତାଜନକ ହୋଇଛି। ଅର୍ଧାଧିକ ରାଜ୍ୟର ଡ୍ରପ୍ଆଉଟ୍ ହାର ଦୁଇ ଅଙ୍କ ତଳେ ରହିଥିବା ବେଳେ ଓଡ଼ିଶାରେ ୧୦ ଛୁଇଁଛି। ଏବେ ରାଜ୍ୟରେ ୩ଲକ୍ଷ ୪୧ହଜାର ୯୦୯ ଶିକ୍ଷକ ଅଛନ୍ତି। ହିସାବ ଅନୁଯାୟୀ ୨୩ଜଣ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। କୌଣସି ବିଦ୍ୟାଳୟ ବିନା ଶିକ୍ଷକ କିମ୍ବା ବିଦ୍ୟାର୍ଥୀରେ ଚାଲୁ ନାହିଁ। ଜଣେ ଶିକ୍ଷକରେ ରାଜ୍ୟର ୧,୪୫୮ ବିଦ୍ୟାଳୟ ଚାଲୁଛି। ଗୋଟିଏ ବର୍ଷ ମଧ୍ୟରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟଙ୍କ ସଂଖ୍ୟା ବୃଦ୍ଧି ପାଇଛି।
୨୦୨୪-୨୫ରେ ୧,୦୮୯ ଓ ୨୦୨୩-୨୪ରେ ୧,୦୬୫ଟି ବିଦ୍ୟାଳୟ ଜଣେ ଶିକ୍ଷକରେ ଚାଲିଥିଲା। ତେବେ ଗୋଟିଏ ବର୍ଷରେ ଆଉ ୩୬୯ଟି ବିଦ୍ୟାଳୟ ଏକକ ଶିକ୍ଷକ ହୋଇଛି। ଏହି ସ୍କୁଲଗୁଡ଼ିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୨୫-୨୬ରେ ୫୯,୬୭୨କୁ ବୃଦ୍ଧି ପାଇଛି। ଅଧିକାଂଶ ଏଭଳି ବିଦ୍ୟାଳୟ ଉପାନ୍ତ, ଆଦିବାସୀ ଓ ଜନବସତି କମ୍ ଥିବା ଅଞ୍ଚଳରେ ରହିଛି। ଜଣେ ମାତ୍ର ଶିକ୍ଷକ ବିଭିନ୍ନ ଶ୍ରେଣୀର ପିଲାଙ୍କୁ ପଢ଼ାଇବା ସହ ଅଫିସିଆଲ୍ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ସମ୍ପାଦନ କରୁଥିବାରୁ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହେଉଥିବା ଶିକ୍ଷାବିତ୍ମାନେ ମତ ପ୍ରକାଶ କରିଛନ୍ତି। ଓଡ଼ିଶାର ୩.୫% ବିଦ୍ୟାଳୟରେ ୫୦୦ରୁ ଅଧିକ ପିଲା ପଢ଼ୁଛନ୍ତି।