ପ୍ରଶ୍ନପତ୍ର ଲିକ୍ ଉପରେ ମନ୍ତବ୍ୟ ପରେ ନବୀନଙ୍କୁ ବିଜେପିର ନିଶାନା

0

ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଲିକ୍ ଉପରେ ମନ୍ତବ୍ୟ ପରେ ନବୀନଙ୍କୁ ବିଜେପିର ନିଶାନା। ଭୁବନେଶ୍ୱର ରାମମନ୍ଦିରଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ବିଜେପି ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ସଭା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଛନ୍ତି ଯେ, ଯେଉଁମାନେ ଦୀର୍ଘ ୨୪ବର୍ଷ ଧରି ଏହି ରାଜ୍ୟରେ ଶାସନ କରୁଥିଲେ ଏବଂ ନିଜକୁ ‘କଂଗ୍ରେସ ବିରୋଧୀ’ ବୋଲି ଡିଣ୍ଡିମ ପିଟୁଥିଲେ, ଆଜି ସେମାନଙ୍କର ପ୍ରକୃତ ମୁଖା ଖୋଲିଯାଇଛି ।

ନିଜ ଦୀର୍ଘ ଶାସନ କାଳରେ କନେଷ୍ଟବଳ ପରୀକ୍ଷା, ୨୦୧୮ ଓ ୨୦୨୨ର ମାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଦୁର୍ନୀତି କରିଛନ୍ତି ବିଜେଡି ସରକାର । ନବୀନ ବାବୁ ଆଜି ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ, ସେ କଂଗ୍ରେସ ପାର୍ଟି ସହିତ ଅଛନ୍ତି ନା ଓଡ଼ିଶାର ରାଜ୍ୟବାସୀଙ୍କ ସହିତ ଅଛନ୍ତି ? ଏହି ଦୋମୁହାଁ ରାଜନୀତି ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି । ସେମାନଙ୍କ ସହିତ ଏକାଠି ହୋଇ ନବୀନ ବାବୁ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି, ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ। ବାସ୍ତବରେ, ନବୀନ ବାବୁ ଓ ରାହୁଲ ଗାନ୍ଧୀ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଜି ସେମାନଙ୍କର ମୁଖା ଖୋଲିଯାଇଛି। ସେମାନଙ୍କର ଏହି ଅପବିତ୍ର ସାଲିସ୍ ରାଜନୀତିକୁ ପଦାରେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି।

Leave A Reply

Your email address will not be published.