ଓଡ଼ିଆ ନ୍ୟୁଜ୍: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ମୃତ। ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ। ଗୋଟିଏ ପରିବାରର ତିନି ମୃତ, ଜଣେ ଗୁରୁତର। ଚମ୍ପୁଆ ନିକଟସ୍ଥ ରଜିଆ ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହେବାରୁ ଗାଡି଼ରେ ଥିବା ଚାରି ଜଣକ ମଧ୍ୟରୁ ଘଟଣାସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଗତ ରାତି ପ୍ରାୟ ୧୦ଟା ବେଳେ ସିଜୁକଳା ଗ୍ରାମର ତ୍ରିଲୋଚନ ଆପଟଙ୍କ ପେଟ ବଥା ହେବାରୁ ତାକୁ ଏକ ଥାର୍ ଗାଡ଼ିରେ ତାଙ୍କ ପୁଅ ରଞ୍ଜିତ ଆପଟ, ସ୍ତ୍ରୀ କଇଁଫୁଲ ଆପଟ ଓ କକା ଭାସ୍କର ଆପଟ ଚମ୍ପୁଆ ଡାକ୍ତର ଖାନାକୁ ଆଣୁଥିଲେ। ରଜିଆ ନିକଟରେ ଦ୍ରୁତ ଗତିରେ ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଆମ୍ବ ଗଛରେ ପିଟି ହୋଇଥିଲା ।
ଦୁର୍ଘଟଣାରେ ଘଟଣାସ୍ଥଳରେ କକା ଭାସ୍କର ମୃତ୍ୟୁବରଣ କରିଥିବା ବେଳେ ସ୍ଥାନୀୟ ଲୋକେ ଚମ୍ପୁଆ ଅଗ୍ନିଶମ ବିଭାଗ ସହାୟତାରେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରି ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ। ଏଠାରେ ଆହତ ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝରଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସ୍ଥାନାନ୍ତର ବେଳେ ରାସ୍ତାରେ ବାପା ତ୍ରିଲୋଚନ ଓ ମା କଇଁଫୁଲଙ୍କ ମଧ୍ୟ ମୃତ୍ୟୁ ହୋଇଛି।