ଓଡ଼ିଆ ନ୍ୟୁଜ୍: ନୌସେନାର ବଢ଼ିଲା ଶକ୍ତି। ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ମାଲଭାନ୍ । ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ସ୍ୱଦେଶୀ ଯୁଦ୍ଧଜାହାଜ । ଦ୍ୱିତୀୟ ସ୍ୱଦେଶୀ ‘ମାହେ’ କ୍ଲାସ୍ ଆଣ୍ଟି-ସବ୍ମେରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ଏଏସ୍ଡବ୍ଲ୍ୟୁଏସ୍ଡବ୍ଲ୍ୟୁସି) ଆଇଏନ୍ଏସ୍ ମାଲଭାନକୁ ବୁଧବାର ଔପଚାରିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । କର୍ଣ୍ଣାଟକର କାରୱାରଠାରେ ଏହାର ଜଳାବତରଣ ହୋଇଛି। ଏହି ଜଳାବତରଣ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏ
ହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଡିଜାଇନ ଏବଂ ନିର୍ମାଣ କରାଯାଇଛି । କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ଏହି ଜାହାଜ ନିର୍ମାଣ ହୋଇଛି । ଆଇଏନ୍ଏସ୍ ମାଲଭାନ୍ ର ଲମ୍ବ ୮୦ ମିଟର ଏବଂ ଏହାର ଓଜନ ୧,୧୦୦ ଟନ୍ ରୁ ଅଧିକ । ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ କମ୍ ଗଭୀର ପାଣିରେ ଆଣ୍ଟି ସବ୍ମେରିନ ଅପରେସନ, ସାମୁଦ୍ରିକ ଅପରେସନ ଏବଂ ମାଇନ୍ ଯୁଦ୍ଧ ପରିଚାଳନା ଲାଗି ନିର୍ମାଣ କରାଯାଇଛି । ଏ ନେଇ ବାୟୁସେନା ମୁଖ୍ୟ ଏ.ପି ସିଂହ କହିଛନ୍ତି, ଭବିଷ୍ୟତର କୌଣସି ବି ଯୁଦ୍ଧ କେବଳ ଗୋଟିଏ ସେନା ଦ୍ୱାରା ଲଢ଼ାଯିବ ନାହିଁ । ବାୟୁ, ସ୍ଥଳ ଏବଂ ନୌସେନା ଏକାଠି ଲଢ଼ିଲେ ହିଁ ବିଜୟ ସହଜ ହେବ ।