ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି

0

ଓଡ଼ିଆ ନ୍ୟୁଜ୍: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି। ପେପର ଲିକ୍ ମାମଲାର ଦ୍ରୁତ ଶୁଣାଣି ଓ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସେ ଫାଷ୍ଟ ଟ୍ରାକ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ଏହି ସମ୍ୱେଦନଶୀଳ ମାମଲାର ଶୁଣାଣି ଏହି ବିଶେଷ କୋର୍ଟରେ ହିଁ କରାଯିବ । ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି ଯେ, “ଦେଶର ଯୁବବର୍ଗଙ୍କ ହିତ ଏବଂ ସେମାନଙ୍କ ସୁରକ୍ଷିତ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା । ପେପର ଲିକ୍‌ର ସମସ୍ତ ମାମଲାରେ ଦୋଷୀଙ୍କୁ କଠୋରରୁ କଠୋରତମ ଦଣ୍ଡ ମିଳିବ । ମାମଲାର ତୁରନ୍ତ ନିଷ୍କାସନ ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରାଯିବ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମ୍ବନ୍ଧରେ ସମ୍ପୃକ୍ତ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରାଯାଇସାରିଛି । “ଆମ ପାଇଁ ଯୁବପିଢ଼ିଙ୍କ ସ୍ୱାର୍ଥଠାରୁ ବଡ଼ ଆଉ କିଛି ନୁହେଁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଭବିଷ୍ୟତ ସହ ଖେଳୁଥିବା କୌଣସି ବି ଦୋଷୀଙ୍କୁ ଛଡ଼ାଯିବ ନାହିଁ ।” ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୨୧ ତାରିଖରେ ଅନୁଷ୍ଠିତ ଏନ୍‌ଡିଏ ସଂସଦୀୟ ଦଳ ବୈଠକ ‘ମଙ୍ଗଳ ମିଲନ’ରେ ପ୍ରଧାନମନ୍ତ୍ରୀ ନୀଟ୍ ପେପର ଲିକ୍ ମାମଲାର ଉଲ୍ଲେଖ କରିଥିଲେ । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ ଜଣାଇଥିଲେ ଯେ, ପେପର ଲିକ୍‌କୁ ପ୍ରଧାନମନ୍ତ୍ରୀ ଏକ “ଘୋର ପାପ” ବୋଲି ଅଭିହିତ କରିଛନ୍ତି । ରିଜିଜୁଙ୍କ ସୂଚନା ଅନୁସାରେ, ମାମଲା ସାମ୍ନାକୁ ଆସିବା ମାତ୍ରେ ହିଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଥିଲା । ପରୀକ୍ଷା ରଦ୍ଦ ହେବା ପରେ ପୁନର୍ବାର ପରୀକ୍ଷା ମଧ୍ୟ ପରିଚାଳିତ ହୋଇଛି । ଆଗାମୀ ଦିନରେ ଯେପରି କୌଣସି ପେପର ଲିକ୍ ନହୁଏ, ସେଥିପାଇଁ କଡ଼ା ନଜର ରଖିବାକୁ ପିଏମ୍ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ, ପେପର ଲିକ୍ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଜାରି ରଖିଛନ୍ତି ।

Leave A Reply

Your email address will not be published.