ଓଡ଼ିଆ ନ୍ୟୁଜ୍: ସୋନମ୍ ୱାଙ୍ଗଚୁକ୍ଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ। ସରକାରଙ୍କ ଆଶ୍ୱାସନା ପରେ ଅନଶନ ଓହାରିଲେ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ । ୨୬ ଦିନର ଦୀର୍ଘ ଅନଶନ ପରେ ଶେଷରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପରେ ସେ ନିଜ ଅନଶନ ଭାଙ୍ଗିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ତାଙ୍କର ଆଶୁ ଆରୋଗ୍ୟ ଓ ସୁସ୍ଥତା କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ସୋନମ୍ ଜୀଙ୍କୁ ଅନୁରୋଧ କରୁଛି ଯେ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ନିଜର ଦିନଚର୍ଯ୍ୟା ରଖନ୍ତୁ ଏବଂ ଯଥାଶୀଘ୍ର ନିଜର ପୁରୁଣା ଓଜନ ଫେରିପାଆନ୍ତୁ । ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସୋନମ୍ ଜୀ ସୁସ୍ଥ ରହନ୍ତୁ ।” କହିରଖୁ କି, ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ପହଞ୍ଚି ୱାଙ୍ଗଚୁକ୍ଙ୍କ ସହ ସାକ୍ଷାତ କରିଥିଲେ । ୱାଙ୍ଗଚୁକ୍ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଏବଂ ଅନ୍ୟ ନେତାଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀମାନେ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନେବାର ଆଶ୍ୱାସନା ଦେଇଥିଲେ । ଦିଲ୍ଲୀର ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଏବଂ ସଂସଦ ମାର୍ଚ୍ଚରେ ସାମିଲ ହୋଇଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ କୌଣସି କଠୋର ମାମଲା ରୁଜୁ କରାଯିବ ନାହିଁ । ନୀଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ପ୍ରଣାଳୀରେ ସୁଧାର ଆଣିବା ପାଇଁ ସଂସଦରେ ଚର୍ଚ୍ଚା କରାଯିବ । ପ୍ରଶ୍ନପତ୍ର ଲିକ୍ ଘଟଣା ଯୋଗୁଁ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପ୍ରସ୍ତାବ ଉପରେ ସରକାର ସକାରାତ୍ମକ ବିଚାର କରୁଛନ୍ତି ।
ଅନ୍ୟପଟେ ଅନଶନ ଭାଙ୍ଗିବା ପରେ ସୋନମ୍ ୱାଙ୍ଗଚୁକ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ସର୍ତ୍ତ ଉପରେ ଦୀର୍ଘ ଆଲୋଚନା ଏବଂ ଦେଶରେ ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ ସେ ଏହି ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।