ଓଡ଼ିଆ ନ୍ୟୁଜ୍: ରୋଗୀଙ୍କୁ ନଦେଇ ଡାକ୍ତରଖାନା ବାହାରେ ଫୋପାଡ଼ିଦେଲେ ସରକାରୀ ଔଷଧ। ଗଜପତିଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଔଷଧ ଦୋକାନ ନିକଟସ୍ଥ ପରିତ୍ୟକ୍ତ ଘର ଏବଂ ଏହାର ଆଖପାଖ ସ୍ଥାନରେ ଆଜି ସକାଳେ ବହୁ ପରିମାଣର ସରକାରୀ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ଅଧିକାଂଶ ଔଷଧର ବୈଧତା ସରି ନଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ଏଗୁଡ଼ିକୁ ବାହାରେ ଫୋପାଡ଼ି ଦିଆଗଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଔଷଧର ବୈଧତା ଅଗଷ୍ଟ ମାସ ଥିବା ବେଳେ ଆଉ କିଛି ଔଷଧର ଡିସେମ୍ବର ମାସ ରହିଛି। ଯଦି ଏହି ଔଷଧ ବ୍ୟବହାରଯୋଗ୍ୟ ନଥିଲା, ତା’ହେଲେ ପ୍ରଚଳିତ ବାୟୋ-ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଅନୁଯାୟୀ କାହିଁକି ନଷ୍ଟ କରାଗଲାନି ବୋଲି ଚର୍ଚ୍ଚା ହେଉଛି। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଞ୍ଜୁରାଣୀ ଜେନା କହିଛନ୍ତି, ଘଟଣାସ୍ଥଳରୁ ଔଷଧର ନମୁନା ସଂଗ୍ରହ କରାଯାଇଛି। ସେହି ଔଷଧ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୁହେଁ।
ତେବେ ଔଷଧଗୁଡ଼ିକ କେଉଁଠାରୁ ଆସିଲା, କିଏ ଓ କାହିଁକି ଆଣି ସେଠାରେ ଫିଙ୍ଗିଲା, ସେନେଇ ତଦନ୍ତ ଜାରି ରହିଛି। ଏଥିପାଇଁ ଏକ କମିଟି ଗଠିତ ହୋଇଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମନାକୁ ଆସିବ। ସେହିପରି ମୋହନା ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, ଫୋପଡ଼ା ଯାଇଥିବା ଔଷଧ ଗୁଡ଼ିକୁ ଜବତ କରାଯାଇଛି। ବ୍ୟାଚ୍ ନମ୍ବର ଯାଞ୍ଚ ପରେ ଔଷଧ କାହାକୁ ଦିଆଯାଇଥିଲା ନା ଗୋଦାମରୁ ବାହାର କରି ଫିଙ୍ଗାଯାଇଛି ତାହା ଜଣାପଡ଼ିବ। ଏଥିପାଇଁ ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ରୋଗୀଙ୍କୁ ବଣ୍ଟାଯିବା ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ କାମରେ ନ ଲଗାଇ ଏଭଳି ନଷ୍ଟ କରାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ଆଦିବାସୀ ଓ ଗରିବ ରୋଗୀ ଡାକ୍ତରଖାନାକୁ ଆସି ଔଷଧ ନପାଇ ନିରାଶ ହୋଇ ଫେରୁଛନ୍ତି।