ମହାନଦୀର ବନ୍ୟାଜଳ ଛୁଇଁଲା ଭଟ୍ଟାରିକା ମନ୍ଦିର

0

ଓଡ଼ିଆ ନ୍ୟୁଜ୍: ମହାନଦୀର ଉପରମୁଣ୍ଡରେ ଅବିରତ ବର୍ଷା ପରେ ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକା ମନ୍ଦିର ନିକଟରେ ବନ୍ୟାଜଳ ପହଞ୍ଚିଯାଇଛି । ନଦୀର ସ୍ରୋତ ବଢ଼ିବା ସହ ମନ୍ଦିର ଚାରିପାଖରେ ପାଣି ଜମିବା ଆରମ୍ଭ ହୋଇଛି । ପ୍ରଶାସନ ଏବଂ ମନ୍ଦିର କର୍ତ୍ତୃପକ୍ଷ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଯଦି ବନ୍ୟାଜଳ ମନ୍ଦିର ଭିତରକୁ ପ୍ରବେଶ କରେ, ତେବେ ପୂର୍ବ ପରମ୍ପରା ଅନୁଯାୟୀ ମାଆ ଭଟ୍ଟାରିକାଙ୍କୁ ରୋଷଘରକୁ ସ୍ଥାନାନ୍ତର କରାଯିବ । ଏହି ପଦକ୍ଷେପ ମନ୍ଦିରର ନୀତିନିୟମ ଅନୁସାରେ ନିଆଯିବ ବୋଲି ସେବାୟତମାନେ ସୂଚନା ଦେଇଛନ୍ତି ।

ଏପଟେ ଅନୁଗୋଳ ଜିଲ୍ଲାର ଟିକରପଡ଼ା ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ମୁଖ୍ୟ ରାସ୍ତା ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ ଚାରିଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ବନ୍ୟା ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି । ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଜରୁରୀ ସେବା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ସତର୍କ ନଜର ରଖିଥିବା ସହ ଆବଶ୍ୟକ ପଡ଼ିଲେ ଉଦ୍ଧାରକାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି । ମହାନଦୀର ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

Leave A Reply

Your email address will not be published.