ଓଡ଼ିଆ ନ୍ୟୁଜ୍: ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ହେଲିକପ୍ଟର ଯୋଗେ ମନ୍ତ୍ରୀ ବନ୍ୟା ପ୍ରଭାବିତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିଦର୍ଶନ କରି ସ୍ଥିତିର ବିସ୍ତୃତ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ହୋଇ ରହିଥିବା ଗାଁଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବନ୍ୟା ପାଣି କେଉଁ ସ୍ତରରେ ରହିଛି ଏବଂ ଲୋକମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେ ନେଇ ସେ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରିଛନ୍ତି। ମନ୍ତ୍ରୀଙ୍କ ସହିତ ଏହି ଆକାଶମାର୍ଗ ପରିଦର୍ଶନ ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଉପସ୍ଥିତ ଥିଲେ । ବନ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଏବଂ ସହାୟତା ପ୍ରଦାନ ନେଇ ମନ୍ତ୍ରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଆଜି ପୂର୍ବାହ୍ନରେ ଲୋକସେବା ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ସମସ୍ତ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।