ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଜାଲିଆତି ଅଭିଯୋଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ଜାଲିଆତି କରାଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇଛି ବୋଲି ଦର୍ଶାଇ  ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମହମ୍ମଦିଆବଜାରର ବାସିନ୍ଦା ଜୟନ୍ତୀ ଦାସଙ୍କ ତରଫରୁ ଦାୟର ଏହି ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ପାଇଁ ଆବେଦନ ବେଳେ ଗ୍ରାମପଞ୍ଚାୟତ, ବ୍ଲକ ବା ପୌରଞ୍ଚଳ ସ୍ତରରେ ଆୟ ପ୍ରମାଣପତ୍ର ଜାଲିଆତି କରାଯାଉଛି। ଏପରି କାର୍ଯ୍ୟରେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ନେତା ସହଯୋଗ କରୁଛନ୍ତି। ସବୁ କିଛି ଭୋଟ ହାତେଇବା ପାଇଁ କରାଯାଉଛି। ୨୦୦୨ରୁ ଗରିବ ସୀମାରେଖା ତଳେ ରହିଥିବା ଲୋକଙ୍କ ଚିହ୍ନଟ ପାଇଁ ସର୍ଭେ କରାଯାଇ ନାହିଁ। ପ୍ରତି ୫ ବର୍ଷରେ ଏପରି ସର୍ଭେ କରାଯିବା କଥା। ଫଳରେ କେଉଁମାନେ ଏବେ ଗରିବ ସୀମାରେଖା ତଳେ କହିବା କଷ୍ଟ।

ଏଥି ସହିତ ହିତାଧିକାରୀଙ୍କ ନା‌ଁ ଓ ଖାଦ୍ୟ ସୁରକ୍ଷା‌ ଯୋଜନାରେ ପ୍ରଦାନ କରାଯାଉଥିବା ସାମଗ୍ରୀ ସଂପର୍କିତ ତଥ୍ୟ ୱେବସାଇଟ ବା ସରକାରୀ କାର୍ଯ୍ୟାଳୟରେ ସହଜରେ ଉପଲବ୍ଧ ହେଉ ନାହିଁ। ଗାଡି, କୋଠା  ଓ ବହୁ ଧନ ସଂପତ୍ତିର ଅଧିକାରୀମାନେ ରାସନ କାର୍ଡ ନେଇଛନ୍ତି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଘର ବାହାରେ ଲୋଗୋ ବା ଏ ସଂପର୍କିତ ସୂଚନା ଫଳକ ଲାଗାଯିବା ପାଇଁ ବ୍ୟବସ୍ଥା କରାଯାଉ।  ଏହା ଦ୍ବାରା ଜନସାଧାରଣ ଜାଣି ପାରିବେ କିଏ ଏହି ଯୋଜନାରେ ସାମିଲ। ଖାଦ୍ୟ ସୁରକ୍ଷା ଯୋଜନାରେ ନିଜକୁ ସାମିଲ କରି ଲୋକମାନେ ଲୁଚିଛପି ସବୁ ସୁବିଧା ନେଉଛନ୍ତି। କରଦାତାଙ୍କ ଟଙ୍କାରେ ସବୁ ଯୋଜନା କରାଯାଉଥିବା ବେଳେ ସ୍ବଚ୍ଛଳବର୍ଗ ଲୋକ ମଧ୍ୟ ଗରିବଙ୍କ ପାଇଁ ରହିଥିବା ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ନେଉଛନ୍ତି। ସିବିଆଇ ଦ୍ବାରା କିମ୍ବା ଅଦାଲତଙ୍କ ତଦାରଖରେ ଘଟଣାର ତଦନ୍ତ କରାଗଲେ ସମଗ୍ର ଘଟଣା ସ୍ପଷ୍ଟ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.