ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି କୁମାର ବିଶ୍ୱାସ ଓ କହ୍ନେୟା କୁମାର । ରାଜସ୍ଥାନର ସିରୋହି ବିଧାନସଭା ଆସନରୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ରାଜନୈତିକ ପରାମର୍ଶଦାତା ସଂଯମ ଲୋଡା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ ଏବଂ ପୂର୍ବତନ ବାମପନ୍ଥୀ ନେତା କହ୍ନେୟା କୁମାରଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ପରାମର୍ଶ ଦେଇଛନ୍ତି । ସୂଚନା ମୁତାବକ ସଂଯମ ଲୋଡାଙ୍କର ଏବେ ଏକ ଟ୍ୱିଟ୍ ରାଜସ୍ଥାନର ରାଜ୍ୟସଭା ନିର୍ବାଚନକୁ ଆହୁରି ଚର୍ଚ୍ଚାର ଖୋରାକ ଯୋଗାଇଛି । ଉଲ୍ଲେଖନୀୟ କଥା ହେଉଛି, ଅଦ୍ୟାବଧି ପ୍ରିୟଙ୍କା ଗାନ୍ଧୀଙ୍କ ସହ କଂଗ୍ରେସର ବହୁ ପୁରୁଣା ତଥା ନୂତନ ଚେହେରାଙ୍କ ନାମ ରାଜ୍ୟସଭା ନିର୍ବାଚନ ପାଇଁ ଆଲୋଚନା ହୋଇଥିଲା। ରାଜସ୍ଥାନରୁ ଗୁଲାମ ନବୀ ଆଜାଦ, ଅଜୟ ମାକେନ୍, ଆନନ୍ଦ ଶର୍ମା ଏବଂ ଜିତେନ୍ଦ୍ର ସିଂ ରାଜ୍ୟସଭା ଯିବେ ବୋଲି କୁହାଯାଉଥିଲା । କିନ୍ତୁ ସଂଯମ ଲୋଡା ଏହି ସମସ୍ତ କଳ୍ପନାଜଳ୍ପନାକୁ ଏକ ନୂଆ ହାୱା ଦେଇଛନ୍ତି ।
ସେ କହିଛନ୍ତି ଯେ ଜନସାଧାରଣଙ୍କ ଆଶା ଅନୁଯାୟୀ ରାଜ୍ୟସଭା ପାଇଁ ହେବାକୁ ଥିବା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ, କୁମାର ବିଶ୍ୱାସ ଏବଂ କହ୍ନେୟା କୁମାରଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଉଚିତ । ସୂଚନା ଥାଉ କି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି କହ୍ନେୟା କୁମାର ୨୦୨୧ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ପ୍ରତିଷ୍ଠାତା ସଦସ୍ୟ କୁମାର ବିଶ୍ୱାସ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଦଳରେ ଯୋଗ ଦେଇନାହାଁନ୍ତି।