ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ସେନାରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀ ପାଇଲଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରଥମ ମହିଳା ଅଧିକାରୀ କ୍ୟାପଟେନ ଅଭିଳାଷା ବରକ ଉଡ଼ାଜାହାଜ ଉଡ଼ାଇବା ତାଲିମ ଗ୍ରହଣ କରିବା ପରେ ତାଙ୍କୁ ପାଇଲଟ ପ୍ରମାଣପତ୍ର ଦିଆଯାଇଛି। ନାସିକ୍ସ୍ଥିତ ‘କମ୍ବାକ୍ଟ ଆର୍ମି ଏଭିଏସନ ଟ୍ରେନିଂ ସ୍କୁଲ’ରେ କ୍ୟାପଟେନ ଅଭିଳାଷାଙ୍କୁ ପାଇଲଟ ଭାବେ ଘୋଷଣା କରାଯାଇଛି।
ଅଭିଳାଷାଙ୍କ ଘର ହରିୟାଣାରେ। ସେପ୍ଟେମ୍ବର ୨୦୧୮ରେ ସେ ସେନାର ଅଧିକାରୀ ଭାବେ ଯୋଗ ଦେଇଥିଲେ। ତାଙ୍କ ବାପା କେର୍ଣ୍ଣଲ ଓମ୍ ସିଂହ ମଧ୍ୟ ସେନାରେ କାର୍ୟ୍ୟ କରୁଥିଲେ । ପ୍ରଥମ ଥର ପାଇଁ ସେନାରେ ମହିଳା ଅଧିକାରୀଙ୍କୁ ପାଇଲଟ ଭାବେ କାମ କରିବାକୁ ସୁଯୋଗ ଦିଆଯାଇଛି। ହେଲିକପ୍ଟର ପାଇଲଟ ହେବା ପାଇଁ ୧୫ ଜଣ ମହିଳା ଅଧିକାରୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇଜଣ ସଫଳତାର ସହ ତାଲିମ ଶେଷ କରିଛନ୍ତି।