କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଖୁବ୍ ଶୀଘ୍ର ଇଡିର ଡାକରା ଆସିପାରେ। ଅର୍ଥ ହେରଫେର ମାମଲାରେ ଶିବକୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ ଦାଖଲ କରିଛି। ଆଇଟି ବିଭାଗ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ଇଡି ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଶିବକୁମାର ବର୍ତ୍ତମାନ ଜାମିନରେ ଅଛନ୍ତି। ତଦନ୍ତ ଏଜେନ୍ସି ଦାବି କରିଛି ଯେ ଶିବକୁମାରଙ୍କ ସମ୍ପତ୍ତିର ପ୍ରାୟ ୮୦୦ କୋଟି ଟଙ୍କା ମୂଲ୍ୟର କୌଣସି ଖାତା ନାହିଁ, ଯେଉଁଥିପାଇଁ ତାଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି।
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ସ୍ୱତନ୍ତ୍ର ଜଜ୍ ବିକାଶ ଢଲଙ୍କ ନିକଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ କଂଗ୍ରେସ ବିଧାୟକ ଲକ୍ଷ୍ମୀ ହେବବାଲକର ଏବଂ ତାଙ୍କର ଅନେକ ସହଯୋଗୀଙ୍କୁ ପଚରାଉଚରା କରାଯାଇଥିଲା। ଆୟକର ବିଭାଗ ଶିବକୁମାର ଏବଂ ତାଙ୍କ ସହଯୋଗୀ ଏସ.କେ ଶର୍ମାଙ୍କୁ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କ ସହାୟତାରେ ହାୱାଲା ଚ୍ୟାନେଲ ମାଧ୍ୟମରେ ବେଆଇନ ଭାବେ କାରବାର କରୁଥିବା ଅଭିଯୋଗ କରିଛି।
ସୂଚନାଯୋଗ୍ୟ ଯେ ୩ ସେପ୍ଟେମ୍ବର ୨୦୧୯ ରେ ଇଡି ତାଙ୍କୁ ଗିରଫ କରିଥିଲା। ପରେ ଅକ୍ଟୋବର ୨୦୧୯ ରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ଡି.କେ ଶିବକୁମାର ଜାମିନରେ ଅଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନ ବେଳେ ଆଇଟି ବିଭାଗ କଂଗ୍ରେସ ନେତାଙ୍କ ଅଜ୍ଞାତ ସମ୍ପତ୍ତିର ହିସାବ ଦେଇଥିବା ଅଭିଯୋଗ ହୋଇଛି। ତେବେ ଶିବକୁମାର ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ। କଂଗ୍ରେସ ନେତାଙ୍କ ପତ୍ନୀ ଏବଂ ମାତାଙ୍କୁ ମଧ୍ୟ ଇଡି ସମନ ପଠାଇଥିଲା ଯାହା ପରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।