ଭଦ୍ରକ(ଓଡ଼ିଆ ନ୍ୟୁଜ୍): ଭଦ୍ରକରେ ଦିନକୁ ଦିନ ଚେର ମେଲାଉଛି ଚୋରା ମଦ ବେପାର । ଏହା ସହ ବଢିଚାଲିଛି ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ। ଏଥିରେ ରୋକ ଲଗାଇବା ପାଇଁ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟିମ ଧାମନଗର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପୁର, ଶି ପୁର, ବାରିକପୁର, ଅନନ୍ତପୁର, ଜଳମଣ୍ଡୁଆ ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର, ବେଲଦା ଓ ହାତୀସାହି ଗ୍ରାମ ଅଞ୍ଚଳରେ ଚଢାଉ କରାଯାଇ ୮୦ ଲିଟର ଦେଶୀ ମଦ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରେମାନନ୍ଦ ଦାସ, ଅନନ୍ତପୁର ଗ୍ରାମର ଦିନା ମୁଣ୍ଡା ଓ ମୁନା ଚାମ୍ପିଆ ମୁଣ୍ଡା ଏବଂ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର ଗ୍ରାମର ନିରାକାର ଜେନା ବୋଲି ଜଣାପଡ଼ିଛି । ଜବତ ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।