ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡାରେ ପହଁଚିଛନ୍ତି ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡାରେ ପହଁଚିଛନ୍ତି ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଦିଲ୍ଲୀରୁ ବିମାନ ଯୋଗେ ଝାରସୁଗୁଡା ଆସିଥିବା ଟିମ୍‌ ସ୍ଥାନୀୟ ବିମାନବନ୍ଦରରେ ଅବତରଣ ପରେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଏହି ଟିମ୍‌ ପୂର୍ବତନ ଆଇଏଏସ ଅଧିକାରୀ ତଥା ବିଜେପି ନେତା ବ୍ରିଜେଶ ଲାଲଙ୍କ ଅଧ୍ୟକ୍ଷତାରେ ଆସିଛି। ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ ଜ୍ୟୋତିର୍ମୟ ସିଂ ମାହାତୋ, ସମୀର ଓରାଓ ଓ ଆଦିତ୍ୟ ସାହୁ । ରାଜ୍ୟ ବିଜେପିର ଏକ ଟିମ ଝାରସୁଗୁଡା ବିମାନବନ୍ଦରରେ ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରିଥିଲେ। ଏହି ଟିମ ସମ୍ବଲପୁରରେ ପହଞ୍ଚି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସା, ହତ୍ୟାକାଣ୍ଡର ସ୍ଥିତି ସମୀକ୍ଷା, ମୃତକଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି। ଏହା ସମ୍ପୂର୍ଣ ପ୍ରାୟୋଜିତ ଥିଲା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଯାଞ୍ଚ କରି ରିପୋର୍ଟ ଦେବୁ ବୋଲି କହିଛନ୍ତି ଟିମ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ଲାଲ। ଏହା ବିଜେପିର ମାଇଲେଜ ନେବା ଯୋଜନା ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ଲାଲ କହିଛନ୍ତି ସମାଜକୁ ବାଣ୍ଟିବା କାମ ବିଜେପିର ନୁହେଁ। ରାଜ୍ୟ ସରକାର ତୁଷ୍ଟିକରଣ ରାଜନୀତି କରୁଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ଏଭଳି ଘଟଣା ଘଟି ନଥାନ୍ତା। ୟୁପିରେ ଅସାମାଜିକଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିଲା। ଏଠି କେତେ ଚାଲିଲା? ବୋଲି ଶ୍ରୀ ଲାଲ ପ୍ରଶ୍ନ କରିଛନ୍ତି।

ଏପଟେ, ସମ୍ବଲପୁରରେ ଶାନ୍ତି ଫେରୁଥିବା ବେଳେ ବିଜେପି ଏପରି ଏକ ଟିମ୍ ପଠାଇ ରାଜନୈତିକ ରଙ୍ଗ ଦେବାକୁ ପ୍ରୟାସ କରୁଛି ବୋଲି ଶାସକ ଦଳ କହିଛି। ସଙ୍କୀର୍ଣ୍ଣ ରାଜନୈତିକ ଫାଇଦା ପାଇଁ ପଶ୍ଚିମା ଓଡ଼ିଶାର ସମ୍ବଲପୁର ସହରରେ ବିଜେପି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ହିଂସାକାଣ୍ଡ ପରେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ସହଯୋଗ ସମ୍ବଲପୁରରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ସହାୟକ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ଅନେକଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ଏହି ବିଜେଡି ନେତା ପୁଲିସ ଓ ପ୍ରଶାସନର ଉଦ୍ୟମକୁ ଶ୍ରେୟ ଦେଇଛନ୍ତି। ବିଜେପିର କିଛି ନେତା ଉତ୍ତେଜନାମୂଳକ ବୟାନ ଦେବା ସହ ସମ୍ବଲପୁରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି। ଏହି ପଦକ୍ଷେପ ସମ୍ବଲପୁରବାସୀଙ୍କ ଭାବାବେଗକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ସମ୍ବଲପୁରବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ କରିବେ। 2014ଠାରୁ ସାରା ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି କହି ପୂର୍ବତନ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ୟୁପିରେ ଅନେକ ହିଂସା ହୋଇଛି। ସେଠାକୁ ବିଜେପି କେବେ ଅନୁଧ୍ୟାନ କରିବାକୁ ଟିମ୍ ପଠାଇନି। ହେଲେ ଓଡ଼ିଶା ଭଳି ଶାନ୍ତି ପ୍ରିୟ ରାଜ୍ୟରେ ଛୋଟ ମୋଟ ଘଟଣା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ରୀୟ ଟିମ୍ ଗଠନ କରିବାକୁ ପ୍ରସନ୍ନ ଆଚାର୍ଯ୍ୟ ନାପସନ୍ଦ କରିଛନ୍ତି। ଘୃଣା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜନୈତିକ ଏଜେଣ୍ଡା ନେଇ ବିଜେପି ନିଜ ଟିମକୁ ସମ୍ବଲପୁର ପଠାଉଛି ବୋଲି ବିଜେଡି ନେତା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ଯ, ଏହି ପ୍ରସଙ୍ଗରେ ବରଗଡ ସାଂସଦ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହିତ ସଂସଦରେ ଏହାକୁ ଉଠାଇବେ ବୋଲି କହିଛନ୍ତି। ହିଂସା ଆଶଙ୍କା କରି ଗୁଇନ୍ଦା ରିପୋର୍ଟ ଏସପିଙ୍କୁ ଦିଆଯାଇଥିବା ବେଳେ ସରକାର କାହିଁକି ଚୁପ୍ ବସିଲେ ସେ ନେଇ ବିଜେପି ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.