ବାସୁଦେବପୁରରେ ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତୀୟ ସଂସ୍କୃତି ହେଉଛି ସ୍ବତନ୍ତ୍ର ସଂସ୍କୃତି। ଯେଉଁ ସଂସ୍କୃତିକୁ ସମଗ୍ର ବିଶ୍ବ ଯୁଗଯୁଗ ଧରି ଅନୁକରଣ କରିଆସିଛି। ସଂସ୍କୃତିର ସୁରକ୍ଷା, ପରମ୍ପରାର ପ୍ରଚାର ପ୍ରସାର, ସନାତନ ଧର୍ମର ଆଭିମୁଖ୍ୟ, ବିଶ୍ବ ଶାନ୍ତି ଯଜ୍ଞର ଫଳାଫଳ, ଧର୍ମୀୟ ଆଲୋଚନା ଏବଂ ବୈଦିକ ମନ୍ତ୍ରପାଠ ସମାଜ ପାଇଁ କିପରି ଏକାନ୍ତ ଆବଶ୍ଯକ ସେ ସମ୍ପର୍କରେ ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦର କର୍ମକର୍ତ୍ତାଗଣ ବାସୁଦେବପୁର ବ୍ଲକ ରୋଡ଼ ଅନ୍ତର୍ଗତ ହନୁମାନବାଟିକାରେ କହିଥିଲେ।

ପରିଷଦର ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବୈଠକରେ ପଣ୍ଡିତ ସଂଜୟ ପାଢ଼ୀଶର୍ମା ପରିଷଦର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଅଧ୍ଯାପକ ଅମରେନ୍ଦ୍ର ପଣ୍ଡା, ଆଦର୍ଶ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଏବଂ ଶିକ୍ଷା ସଂସ୍କାରକ ଭାଗିରଥୀ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅଖଣ୍ଡ ଭାରତ ବ୍ରାହ୍ମଣ ପରିଷଦର ଆଭିମୁଖ୍ୟ ଏବଂ କର୍ମକର୍ତ୍ତାଙ୍କର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆଲୋଚନା ରଖିଥିଲେ। ପଣ୍ଡିତ ଲକ୍ଷ୍ମୀଧର ପତିଙ୍କ ସଂଯୋଜନାରେ ରାଧାରଂଜନ ଶତପଥୀ, ବିନୟ କୁମାର ପତି, ରଶ୍ମିରେଖା ଅଗସ୍ତି, କମଳାକାନ୍ତ ପଣ୍ଡା, ଶଶୀକାନ୍ତ ମିଶ୍ର, ହେମନ୍ତ ଶତପଥୀ, ପ୍ରସନ୍ନ ଧୂପାଳ, ହରିହର ଧୂପାଳ ପ୍ରମୁଖ ଉପସ୍ଥିତ ରହି ବେଦମନ୍ତ୍ର ପାଠ ପୂର୍ବକ ସମାଜରେ ବ୍ରାହ୍ମଣ ପରିଷଦର ଗୁରୁତ୍ବପୂର୍ଣ୍ଣ ସମ୍ପର୍କରେ ନିଜନିଜର ସୁଚିନ୍ତିତ ମତାମତ ରଖିଥିଲେ।

ବାସୁଦେବପୁର ବ୍ଲକର ପ୍ରତି ପଂଚାୟତରେ ପଂଚାୟତ କମିଟି ଗଠନ କରାଯାଇ ଭାଗବତ ଟୁଙ୍ଗି , ଆଧ୍ଯାତ୍ମିକ ପ୍ରବଚନ ସହିତ ପ୍ରତି ପଂଚାୟତରେ କ୍ରମାନ୍ୱୟରେ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ହେବ ପରିଷଦ ତରଫରୁ ବିଶଦ ଭାବେ ଆଲୋଚନା କରାଯାଇଅଛି। ଆସନ୍ତା ମଇ ୧୯ ତାରିଖ, ରବିବାର ସକାଳ ୮ ଘଟିକା ସମୟରେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଂଚାୟତର ପ୍ରତ୍ୟକ୍ଷ ପାତାଳୀ ଶୈବପୀଠ ବାବା ବୁଢା ମହାଦେବ କ୍ଷେମେଶ୍ବର ପୀଠରେ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବା ପାଇଁ ସ୍ଥିର କରାଯାଇଛି। ବ୍ଲକ ସ୍ତରୀୟ ପରିଷଦର ସଂଯୋଜକ ଲକ୍ଷ୍ମୀଧର ପତି ସମସ୍ତ ପଣ୍ଡିତ ବ୍ରାହ୍ମଣମାନଙ୍କୁ ସ୍ବାଗତ କରିବା ସହିତ ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.