ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ: ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି | ମାନବ ସମାଜକୁ ଅମ୍ଳଜାନ ପ୍ରଦାନ କରି ଜୀବନ ରକ୍ଷାକରୁଥିବା ବୃକ୍ଷମାନଙ୍କ ସଠିକ ଭାବେ ଯତ୍ନ ନେବା ତଥା ଅଧିକରୁ ଅଧିକ ବୃକ୍ଷ ରୋପଣ ଲାଗି ଜନ ସଚେତନତା ସୃଷ୍ଟି କରିବା ଲାଗି ବୃକ୍ଷ ମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା | ପରିଷଦର ସଦସ୍ୟ ମାନେ କାଗଜ, ଅଠା, କାଠ, ଡୋର ଇତ୍ୟାଦି ସାମଗ୍ରୀ ବ୍ୟବହାର କରି ରାକ୍ଷୀଗୁଡିକୁ ନିଜ ହାତରେ ତିଆରି କରିଥିଲେ ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।

ପ୍ରତ୍ୟେକ ବର୍ଷ ବର୍ଷା ଋତୁରେ ଜନମଙ୍ଗଳ ପରିଷଦ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଇଥାଏ ।  ଆଜି ଏହି କାର୍ଯ୍ୟକ୍ରମରେ ବୃକ୍ଷ ଗୁଡିକର ସଠିକ ଯତ୍ନ ତଥା ସୁରକ୍ଷା ନିଶ୍ଚିତ କରିବା ନେଇ ଉପସ୍ଥିତ ପ୍ରତ୍ୟେକ ସଦସ୍ୟ ସଙ୍କଳ୍ପ ନେଇଥିଲେ।  ମହାତ୍ମାଗାନ୍ଧୀ ମାର୍ଗରେ ଲାଗିଥିବା ଶତାଧିକ ଗଛରେ ସଦସ୍ୟ ମାନେ ରାକ୍ଷୀ ବାନ୍ଧି, ପରସ୍ପରକୁ ମିଠା ଖୁଆଇ ପବିତ୍ର ରାକ୍ଷୀ ପୂର୍ଣ୍ଣମୀର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

ଗଛ ସବୁ ହେଉଛନ୍ତି ମାନବ ସମାଜର ପ୍ରକୃତ ରକ୍ଷାକର୍ତ୍ତା। ଗଛ ନରହିଲେ ମାନବ ସଭ୍ୟତା ତିଷ୍ଠି ରହିବା ଅସମ୍ଭବ | ତେଣୁ ବ୍ୟାପକ ଗଛ ଲଗାଇବା ସହ ଏହାର ସୁରକ୍ଷା ଜରୁରୀ । ତେଣୁ ଆମେ ରାକ୍ଷୀ ବାନ୍ଧି ଏଭଳି ଏକ ନିଆରା ଢଙ୍ଗରେ ବୃକ୍ଷ ସୁରକ୍ଷାର ସାମାଜିକ ବାର୍ତ୍ତା ଦେଉଛୁ ବୋଲି କହିଛନ୍ତି ଜନମଙ୍ଗଳ ପରିଷଦର କର୍ମକର୍ତ୍ତା ମାନେ।  ପରିଷଦର ସଦସ୍ୟ ଅଲେଖ ଚନ୍ଦ୍ର ଜେନା, ଲକ୍ଷ୍ମଣ ଦାଶ, ଲିଙ୍କନ ସାହାଣୀ, ମିଲନ ପ୍ରଧାନ, ସ୍ଥାନୀୟ ସମାଜସେବୀ ମାନି ପଣ୍ଡା ଓ ଶାନ୍ତି ଫାଉଣ୍ଡେସନର ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.