ସରକାରୀ ଚାକିରି ନାଁରେ ୨୫ ଲକ୍ଷ ଚଳୁ କରିଥିଲା ଠକ : ଲୋକଙ୍କ ଝାଳବୁହା ଟଙ୍କାରେ ଥର୍‌ ଗାଡ଼ି କିଣି ଅୟସ କରୁଥିଲା ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଠକର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ । ଚଢୁଥିଲା ଥର୍‌ ଭଳି ଦାମୀ ଗାଡ଼ି । ଉଡ଼ାଉଥିଲା ବାର୍‌ରେ ଟଙ୍କା । ପ୍ରେମିକାକୁୁ ଖୁସ ପାଇଁ ଦେଉଥିଲା ଦାମୀ ଗିଫ୍ଟ । ନିରୋଳା ସମୟରେ ସୋସିଆଲ ମିଡିଆରେ ବନାଉଥିଲା ରିଲସ । କନସଲଟାନ୍‌ସୀ ନାଁରେ ସରକାରୀ ଚାକିରୀ ଆଶାୟୀଙ୍କୁ ଲଗାଉଥିଲା ଚୂନା । ଶେଷରେ ଧରାପଡ଼ିଗଲା 420 । ନାଁ ଦେବବ୍ରତ ପଲେଇ । ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ତାକୁ ଗିରଫ କରିଛି । ପୋଲିସ ଚାକିରୀ କରାଇଦେବାକୁ କହି ଅନୁଗୁଳର ୩ ଜଣ ଆଶାୟୀଙ୍କ ସମେତ ଜଣେ ଯୁବତୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଚଳୁ କରିଥିଲା ଠକ ଦେବବ୍ରତ । ପୁଅକୁ କନଷ୍ଟେବଳ କରାଇବା ପାଇଁ ୧୩ ଲକ୍ଷ ଟଙ୍କା ଆଣି ଅଭିଯୁକ୍ତ ଦେବବ୍ରତକୁ ଦେଇଥିଲେ ରାଜକିଶୋର ପ୍ରଧାନ । ଚାକିରି ଦେବା ତ ଦୂରର କଥା ଟଙ୍କା ମାଗିଲେ ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ ।

ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଦେବବ୍ରତଙ୍କର ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ପଳାଶୁଣି, ସପ୍ତଶତୀ ବିହାର ପ୍ଲଟ ନଂ-୨୯୪୩/୬୮୧୨ ରେ ଗୋଟିଏ “ଡିଟୁ-ଏସ, ସଲ୍ୟୁସନ” ନାମକ ଏକ ଅଫିସ୍‌ ଅଛି । ଦେବବ୍ରତ ବିଭିନ୍ନ ସୋସିଆଲ ପ୍ଲାଟଫର୍ମ ମାଧ୍ୟମରେ ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ସରକାରୀ ସ୍ତରରେ ଚାକିରି ଯୋଗାଇ ଦେବାର ପ୍ରତିସୂତି ଦେଉଥିଲେ  । ଏନେଇ ବଳରାମଙ୍କର ଜଣେ ବନ୍ଧୁ ମୃତ୍ଯୁଞ୍ଜୟ ଅଭିଯୁକ୍ତ ଦେବବ୍ରତଙ୍କୁ ଯୋଗ ଯୋଗ କରିବାରୁ ସେ ଓଡ଼ିଶା ପୁଲିସ ସେବାରେ ନିଶ୍ଚିତ ଚାକିରି ଯୋଗାଇ ଦେବାର ପ୍ରତିସୂତି ଦେଇଥିଲେ ।  ଗତ ୧୭.୦୩.୨୦୨୩ ରିଖରେ ଦେବବ୍ରତ ଅଭିଯୋଗକାରୀ ବଳରାମଙ୍କୁ ଡକାଇବାରୁ ସେ ତାଙ୍କର ବାପା ଏବଂ ଭାଇଙ୍କ ସହିତ ପଳାଶୁଣି ଥିବା ତାଙ୍କର ଅଫିସ୍‌ କୁ ଯାଇଥିଲେ ଏବଂ ଚାକିରି କରାଇଦେବା ବାବଦକୁ ୨୦ ଲକ୍ଷ ଟଙ୍କା ଦେବାପାଇଁ କହିଥିଲେ । ଏହି ଘଟଣାର କିଛି ଦିନ ପରେ ଦେବବ୍ରତ ପୁନର୍ବାର ବଳରାମଙ୍କୁ ଯୋଗ ଯୋଗ କରିଥିଲେ ଏବଂ ୨ ଜଣ ଚାକିରି ଆଶାୟୀଙ୍କୁ ଯୋଗାଡ଼ କରିବାକୁ କହିଥିଲେ ।

ବଳରାମ ଗତ ତା ୨୭.୦୩.୨୦୨୩ ରିଖରେ ତାଙ୍କର ୨ ଜଣ ବନ୍ଧୁଙ୍କୁ ନେଇ ଦେବବ୍ରତଙ୍କ ଅଫିସ୍‌ କୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ । ଏହିପରି ଭାବରେ ଦେବବ୍ରତ ସମୁଦୟ ୧୩ ଲକ୍ଷ ଟଙ୍କା ଓଡ଼ିଶା ପୁଲିସ ସେବାରେ ଚାକିରି କରାଇଦେବାର ପ୍ରତିସୂତି ଦେଇ ବଳରାମ ଓ ତାଙ୍କର ଦୁଇ ବନ୍ଧୁ ବସନ୍ତ ଏବଂ ମାନସଙ୍କ ଠାରୁ ନଗଦ ଆକାରରେ ଓ ଫୋନ ପେ ଜରିଆରେ ନେଇଥିଲେ । ଗତ ୦୫.୦୪.୨୦୨୩ ରିଖରେ ଓଡ଼ିଶା ପୁଲିସର ନିଯୁକ୍ତି ପ୍ରକାଶ ପାଇବା ପରେ ସେଥିରେ ବଳରାମ କିମ୍ବା ତାଙ୍କର ବନ୍ଧୁଙ୍କ ନାମ ନଥିବାରୁ ସେମାନେ ଦେବାବତ୍ରଙ୍କୁ ଯୋଗ ଯୋଗ କରିଥିଲେ ।

ଏନେଇ ଦେବବ୍ରତ ନିଯୁକ୍ତି ଦେବା ପାଇଁ ନିଶ୍ଚିତ କରାଇବା ସହ ପୁନର୍ବାର ୫୦ ହଜାର ଟଙ୍କା ଦେବା ପାଇଁ କହିଥିଲେ । ଏଥିରେ ବଳରାମ ଏବଂ ତାଙ୍କର ବନ୍ଧୁଙ୍କର ସନ୍ଦେହ ଜାତ ହେବାରୁ ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରି ଏନେଇ ମଞ୍ଚେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଞ୍ଚେଶ୍ଵର ଥାନା ପୁଲିସ ତଦନ୍ତ କରି ଗତ କାଲି ଦେବବ୍ରତଙ୍କୁ ଗିରଫ ଥାନାକୁ ଆଣିଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ଵୀକାର କରିବା ସହ ବିଳାସପୂର୍ଣ୍ଣ ଜୀବନ ଜାପାନ କରିବା ପାଇଁ ସେ ଏହିପରି ଠକେଇ କରିଆସୁଥିବା ଦର୍ଶାଇଥିଲେ । ପୁଲିସ ଅଧିକ ତଦନ୍ତ ବେଳେ ଅଭିଯୁକ୍ତ ଦେବବ୍ରତର ହେପାଜତରୁ ଠକେଇ କରିଥିବା ଟଙ୍କାରେ କିଣିଥିବା ଗୋଟିଏ କାର ଏବଂ ମୋଟରସାଇକେଲ ଜବତ କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.