ଜିଲ୍ଲାରେ ପ୍ରାଣୀସମ୍ପଦ ଗଣନା ନେଇ ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥାନୀୟ ପଶୁ ଚିକିତ୍ସାଳୟ ପରିସରରେ ୨୧ତମ ପ୍ରାଣୀସମ୍ପଦ ଗଣନା ନେଇ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡାକ୍ତର କଳ୍ପତରୁ ସ୍ୱାଇଁଙ୍କ ଉପସ୍ଥିତିରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକର କର୍ମଚାରୀ ମାନେ ଯୋଗ ଦେଇଛନ୍ତି। ସର୍ବ ଭାରତୀୟ ସ୍ତରରେ ସେପ୍ଟେମ୍ବର ୧ ଠାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।

ଏହିକ୍ରମରେ ମୟୁରଭଞ୍ଜ ଜିଲ୍ଲାବ୍ୟାପି ପ୍ରାଣୀ ସମ୍ପଦ ଗୁଡ଼ିକର ଗଣନା ପ୍ରକ୍ରିୟା ଅନୁଷ୍ଠିତ ହେବ। ଜିଲ୍ଲାର ପ୍ରତି ବ୍ଲକରେ ନିୟୋଜିତ ଗଣନାକାରୀ ମାନେ ଉକ୍ତ ଗଣନା ପ୍ରକ୍ରିୟା ଡିଜିଟାଲ ମାଧ୍ୟମରେ କରିବେ ବୋଲି ସ୍ଥିରୀକୃତ ହୋଇଛି। ଘର ଘର ବୁଲି ପ୍ରାଣୀ ସମ୍ପଦ ଗଣନା କରି ଡିଜିଟାଲ ଆପ୍ଲିକେସନରେ ଗଣନା ତଥ୍ୟକୁ ଆପଲୋଡ କରିବେ। ଉକ୍ତ ଗଣନା ପ୍ରକ୍ରିୟା କିପରି ପରିଚାଳନା ହେବ ସେନେଇ ସ୍ୱତନ୍ତ୍ର ପ୍ରଶିକ୍ଷକ ସମସ୍ତ ଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ଅଗଷ୍ଟ ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ୪ଗୋଟି ଉପଖଣ୍ଡରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପ୍ରଥମ ପର୍ଯ୍ୟାୟରେ ବାରିପଦା ଠାରେ ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାବ୍ୟାପି ୨୧୫ଜଣ ଗଣନାକାରୀ ଓ ୫୩ଜଣ ସୁପରଭାଇଜର ଏଥିରେ ତାଲିମ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପରେ ସେମାନେ ସେପ୍ଟେମ୍ବର ୧ତାରିଖ ଠାରୁ ମୟୁରଭଞ୍ଜ ଜିଲ୍ଲାର ୩୯୮୨ଗୋଟି ଗ୍ରାମ ଓ ୭୦ଗୋଟି ୱାର୍ଡରେ ପ୍ରତି ଘରକୁ ଘର ବୁଲି ପ୍ରାଣୀ ସମ୍ପଦ ଗଣନା କରି ରିପୋର୍ଟ ପ୍ରଦାନ କରିବେ ବୋଲି ସିଡ଼ିଭିଓ ଡାକ୍ତର ସ୍ୱାଇଁ କହିଛନ୍ତି।

Comments are closed.