ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ଜୀବନ୍ତ ଦଗ୍ଧ ହୋଇଗଲେ ଏକାସଙ୍ଗେ ୬ ଜଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା |
ତେବେ ସୂଚନ ମୁତାବକ, ବାପଟଲାରୁ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୪୨ ଯାତ୍ରୀଙ୍କୁ ଧରି ଏକ ବସ୍ ଯାଉଥିଲା। ହାଇଦ୍ରାବାଦ- ବିଜୟୱାଡା ହାଇୱେ ଉପରେ ଚିଲକଲୁରିପେଟ ନିକଟରେ ଏକ ଟ୍ରକ୍ ସହ ବସ୍ର ଖୁବ୍ ଜୋରରେ ଧକ୍କା ହୋଇଥିଲା। ଏହାପରେ ଉଭୟ, ବସ୍ ଟ୍ରକ୍ ଆଖି ପିଛୁଳାକେ ଜଳି ଯାଇଛନ୍ତି। ଫଳରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ୩୨ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବହୁ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା।
ଦୁର୍ଘଟଣା ସମୟରେ ବସ୍ରେ ୪୨ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ଉଭୟ ବସ୍ ଓ ଟ୍ରାକ୍ ଡାଇଭରଙ୍କ ସମେତ ଆଉ ୪ ଯାତ୍ରୀ ଜଳି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧ ଓ ଜଣେ ୮ ବର୍ଷୀୟ ନାବାଳକ ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ୩୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।