ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ବିଧାନ ବିରୋଧି: ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କଲା ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ

0
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ବିଧାନ ବିରୋଧି । ରାଜ୍ୟ ସରକାର ଏହି ଯୋଜନା ଆଣି ୭୩ତମ ସମ୍ବିଧାନ ସଂଶୋଧନ ଆଇନକୁ ଉପେକ୍ଷା କରିଛନ୍ତି । ପଂଚାୟତ ପ୍ରତିନିଧି ଯଥା ସରପଂଚ, ସମିତିସଭ୍ୟ, ୱାର୍ଡସଭ୍ୟ ଇତ୍ୟାଦିଙ୍କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ । ଆଦିବାସୀ ଅଂଚଳ ବା ଅନୁସୂଚିତ ଅଂଚଳରେ କୌଣସି ସାମାଜିକ ବା ଆର୍ଥିକ ପ୍ରକଳ୍ପ ଗ୍ରାମସଭାର ବିନା ଅନୁମୋଦନରେ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ବୋଲି ସମ୍ବିଧାନର ପଂଚାୟତ ସଂପ୍ରସାରଣ ଆଇନ ୧୯୯୬ରେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ୱେ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ଏହା ସମ୍ବିଧାନ ପ୍ରତି ଅବମାନନା ।
 ଏହି ଯୋଜନା ବିରୁଦ୍ଧରେ ଆଜି ରାଜୀବ  ଗାନ୍ଦୀ ପଂଚାୟତିରାଜ ସଂଗଠନ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କୁ ଭେଟି  ଦାବିପତ୍ର ଦିଆଯାଇଛି । ସଂଗଠନର ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ୨୦ଜଣ ପ୍ରତିନିଧି ରାଜ୍ୟପାଳଙ୍କ ସହିତ ଏହି ସମ୍ବିଧାନ ବିରୋଧି ଯୋଜନା ଉପରେ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଯୋଜନାକୁ ରୂପାୟନ କରିବା କ୍ଷେତ୍ରରେ ପଂଚାୟତ ପ୍ରତିନିଧି, ପଂଚାୟତ ଅନୁଷ୍ଠାନ ଓ ଗ୍ରାମ ସଭାକୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ସେମାନେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ରାଜ୍ୟପାଳ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବେବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ, ଆଂଚଳିକ ସଂଯୋଜକ ବିସ୍ମୟ ମହାପାତ୍ର, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ସମରେନ୍ଦ୍ର ମିଶ୍ର, ସୁଭାଷ ପ୍ରଧାନ, ଗଣେଶ ସାହୁ, ରଶ୍ମି ମହାପାତ୍ର, ସ୍ୱାଗତିକା ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ, ସୁଦାମ ପାତ୍ର, ପ୍ରତାପ ପ୍ରଧାନ, ନିରଞ୍ଜନ ଲେଙ୍କା, ନିରଦ ବରଣ ଖୁଂଟିଆ, ପାଣ୍ଡବ କର୍ଣ୍ଣ, ଅବଦୁଲ ସାଜିଦ, ସଂକୁନା କହଁର ପ୍ରମୁଖ ସାମିଲ ହୋଇଥିଲେ ଏବଂ ରାଜ୍ୟପାଳଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.