ଅପହୃତ ଡାକ୍ତରଙ୍କ ମିଳୁନି ପତ୍ତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ଜିଲାର କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳୁନାହିଁ। ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ହେଁ ଡାକ୍ତରଙ୍କୁ କିଏ ଅପହରଣ କରିଛି ଏବଂ ସେ ଏବେ କେଉଁଠି ଅଛନ୍ତି ତାହାକୁ ନେଇ ରହସ୍ୟ ଲାଗି ରହିଛି।  ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଛନ୍ତି ଡାକ୍ତରଙ୍କ ବାପା । କନ୍ଧମାଳ ଟିକାବାଲି ଅଞ୍ଚଳରେ ଡାକ୍ତର ଅମ୍ଲାନଙ୍କ ଘର ।

ଏନେଇ କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କୁ ଫୁଲବାଣୀରେ ଭେଟି ମାମଲାର ତଦନ୍ତ କରିବା ସହ ପୁଅକୁ କିଏ ଅପହରଣ କରିଛି ସେ ନେଇ ତଦନ୍ତ କରିବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ସରକାରୀ ବାସଭବନ ନିକଟରୁ ମାଓବାଦୀଙ୍କ ନାଁରେ ଏକ ଚିଠି ମିଳିଥିବାରୁ ଘଟଣା ପଛରେ ମାଓବାଦୀଙ୍କ ହାତ ଥିବା ମଧ୍ୟ ସନ୍ଦେହ କରାଯାଉଛି। ଅପହରଣ ପୂର୍ବରୁ ଅମ୍ଳାନ ଏଟିଏମରୁ ୪୮ ହଜାର ଟଙ୍କା ଉଠାଇଥିବା କୁହାଯାଉଛି। ଏହାବ୍ୟତୀତ ଏକ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ରକରି ଡାକ୍ତରଙ୍କ ସହିତ ମୃତକଙ୍କ ପରିବାର ଲୋକଙ୍କ ସହିତ ବଚସା ହୋଇଥିଲା। ସେ ଦିଗକୁ ବି ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କର ବଚସା ହୋଇଥିଲା। ଏହି ଅପହରଣ ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଘଟଣା ପଛରେ ନକ୍ସଲଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି। ତେବେ ଏନେଇ ପୁଲିସ କି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ଅମ୍ଳାନ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାଯାଇଛି |

 

Leave A Reply

Your email address will not be published.