ଓଡ଼ିଆ ନ୍ୟୁଜ୍: କାର୍କୁ ପିଟିଲା ପାଇପ୍ ବୋଝେଇ ଟ୍ରେଲର, ୨ ମହିଳା ମୃତ। ପାପଡ଼ାହାଣ୍ଡି ରଜାମଟୁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ୫ ବର୍ଷର ଶିଶୁପୁତ୍ର ସମେତ ୩ ଗୁରୁତର। ପୁରୀରୁ ଜଗା ଦର୍ଶନ ସାରି ବିଶାଖାପାଟଣା ଫେରୁଥିବା ବେଳେ ଦୁର୍ଘଟଣା।
ଖବର ଅନୁଯାୟୀ, ଆନ୍ଧ୍ରର ଗୋଟିଏ ପରିବାରର ଦୁଇ ମହିଳା, ଦୁଇ ପୁରୁଷ ଜଣେ ଶିଶୁ ଏକ କାର ଯୋଗେ ପୁରୀ ଠାରୁ ନବରଙ୍ଗପୁର ଶଶୁର ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରଲର କଳାହାଣ୍ଡି ଅଭିମୁଖେ ଯାଉଥିବା ସମୟରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା।
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ଟିମ୍ ପହଁଚି ୫ ଜଣକୁ ଉଦ୍ଧାର କରିଥିଲେ। ସମସ୍ତକୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଦୁଇ ମହିଳାକୁ ମୃତ ଘୋଷଣା କରିଥିଲେ। ଆଉ ତିନି ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।