‘ବର୍ଷାଙ୍କୁ ବାହା ହୋଇ ମୁଁ ବହୁତ ବଡ଼ ଭୁଲ କରିଛି’, ସୋସିଆଲ ମିଡିଆରେ ଭାବବିହ୍ବଳ ଭିଡିଓ ପୋଷ୍ଟ କଲେ ଅନୁଭବ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା । ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରି ଅନୁଭବ କହିଛନ୍ତି, ଜୀବନସାଥୀ ବାଛିବାରେ ଭୁଲ କରିଛି । ପ୍ରାୟ ଅଧଘଣ୍ଟା ଏହି ଭିଡିଓରେ ସେ ନିଜର ମନକଥା କହିଛନ୍ତି।୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି ।  ତାଙ୍କ ବିନା କାହା ବିଷୟରେ ଭାବିନଥିଲି । ତାଙ୍କୁ ୨୦୧୪ରେ ବାହା ହୋଇଥିଲି। କିନ୍ତୁ ତାହା ଭୁଲ ଥିଲା ବୋଲି କହିଛନ୍ତି ଅନୁଭବ । ଏପରିକି ସେ କହିଛନ୍ତି, ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । ମହିଳା ବୋଲି ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ।

ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି, ଗଣମାଧ୍ୟମ ଯାହା ଦେଖାଇବ, ତାହା କଣ ସତ୍ୟ? ଗତ ୧୪ ବର୍ଷ ହେଲା ମୁଁ ଯାହା ଭୋଗୁଛି ଗଣମାଧ୍ୟମ କେବେ କଳ୍ପନା କରିପାରିବ ନାହିଁ। ଘଟଣା ସଂପର୍କରେ ସତ କଣ ଜାଣିପାରି ବି ଗଣମାଧ୍ୟମ କିଛି କରିପାରୁନାହିଁ। ତାଙ୍କୁ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ । ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ମାମଲା ଚାଲିଛି । ଏହି ସମୟରେ ଅନୁଭବ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ । ସେ କହିଛନ୍ତି, ଏହି ଭିଡିଓ ପରେ ରାଜନୈତିକ ଭବିଷ୍ୟତ କ’ଣ ହେବ ଜାଣି ନାହାନ୍ତି । କିନ୍ତୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ନୂଆ ଭିଡିଓକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।    ଅନୁଭବ ମହାନ୍ତି ଆହୁରି କହିଛନ୍ତି, ଯିଏ ବି ନ୍ୟାୟରେ ଅଛନ୍ତି, ଆଉ ନ୍ୟାୟରେ ଥାଇ ବି ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି, ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେମାନଙ୍କ ପଛରେ ଠିଆ ହେବି। ମୋର ଯୋଉ ଭାଇଭଉଣୀମାନେ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଅଲବତ୍ ଲଢ଼ିବି। ବାକି ମହାପ୍ରଭୁଙ୍କ ହାତରେ। ଆପଣମାନଙ୍କ ହାତରେ। ସତ୍ୟର ଜୟ ହେଉ, ଧର୍ମର ଜୟ ହେଉ। ଯଦି ମୁଁ ଆପଣମାନଙ୍କୁ ଧୋକା ଦେଉଥାଏ, ତେବେ ମୋତେ ଦଣ୍ଡ ମିଳୁ। ଯଦି ମୁଁ ସତପଥରେ ଅଛି, ତେବେ ମୋତେ ନ୍ୟାୟ ମିଳୁ।

Leave A Reply

Your email address will not be published.