ଏସସିବି ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପ୍ରସଙ୍ଗ: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସସିବି ମେଡିକାଲ ସହିତ ରାଜ୍ୟର ଅନ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ସଚିବଙ୍କ ରିପୋର୍ଟ ଉପରେ ଜବାବ ରଖିବା ପାଇଁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୈତ୍ରୀ ସଂସଦ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୨୦କୁ ଧାର୍ଯ୍ୟ ହୋଇଛି। ଏସସିବିରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ୨୦୦୩ରେ ଦାୟର ଏହି ମାମଲା ବିଚାରାଧୀନ ଥିବା ବେଳେ ୨୦୦୮ରେ ଏସସିବିରେ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ ଇନସିନେରେଟର ଖରାପ ହୋଇଯିବାରୁ ପ୍ଲାଣ୍ଟ ଅଚଳ ହୋଇଥିଲା।  ଗତ ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆରଡିସିଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକ ୨୦୨୧, ଜାନୁଆରି ୧୨ରେ ଲେଖିଥିବା ଚିଠି ଉପସ୍ଥାପନ କରାଯାଇଥିଲା।

ଇନସିନେରେଟର ମରାମତି ପାଇଁ ବାରମ୍ବାର ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶଙ୍କୁ ଅନୁରୋଧ କରାଯିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହୋଇଥିଲା। ଜୈବ ବର୍ଜ୍ୟବସ୍ତୁ ପରିଚଳନା କ୍ଷେତ୍ରରେ ରାଜ୍ୟର ପ୍ରମୁଖ ଅନୁଷ୍ଠାନରେ ଏଭଳି ଅବ୍ୟବସ୍ଥାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ଜବାବ ତଲବ କରିଥିଲେ।

Leave A Reply

Your email address will not be published.