ନିକଟରେ ପୌର ଓ ପଂଚାୟତ ନିର୍ବାଚନ ସରିଥିବା ସରଗରମ ରହିଛି ରାଜନୀତି | ଶାସକ ବିଜେଡି ଦଳ ଉଭୟ ନିର୍ବାଚନରେ ବିରୋଧୀଙ୍କ ରଣନୀତିକୁ ଫିକା ପକାଇଦେଇଛି |ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୮୫୨ ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ୭୬୬ ଟି ସିଟ୍ ଜିତିଥିବାବେଳେ ବିଜେପି ଏବଂ କଂଗ୍ରେସ ଯଥାକ୍ରମେ ୪୨ ଏବଂ ୩୭ ଟି ସିଟ୍ ହାସଲ କରିଛି। ଅନ୍ୟ ଦଳମାନେ ସାତୋଟି ସିଟ୍ ଜିତିବାରେ ସଫଳ ହୋଇଥିଲେ। ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାରେ ଶାସକ ଦଳ ଜିଲା ପରିଷଦ ଜିତିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ଏତେ ମାତ୍ରାରେ ବିଜୟ ଲାଭ କରି ବିରୋଧୀଙ୍କ ମୁହଁ ଚୁପ କରିଦେଇଛି ବିଜେଡି। ଏଣେ ବିରୋଧି ମଧ୍ୟ ବିଜେଡ଼ିକୁ କାଉଣ୍ଟର ଆଟାକ କରିଛନ୍ତି| ବିରୋଧୀ କହିଛନ୍ତି ଯେ ବିଜେଡି ଟଙ୍କା, ମଦ, ମାଂସ ଦେଇ ଭୋଟ କିଣିଛି |
ନିର୍ବାଚନରେ ବିଜେଡିର କ୍ଲିନସ୍ୱିପ ପରେ ଏବେ ନଜର ୨୦୨୪ ସାଧାରଣ ନିର୍ବାଚନ ଉପରେ | ରାଜ୍ୟରେ ବିଜେପି ଦଳର ଶୋଚନୀୟ ପରାଜୟ ଘଟିଛି | ସେ ପୌର ନିର୍ବାଚନ ହେଉ ଅବା ପଂଚାୟତ ନିର୍ବାଚନ ସବୁଠି ନିରାଶଜନକ ପ୍ରଦର୍ଶନ | ତେବେ କଂଗ୍ରେସ ଦଳର ମଧ୍ୟ ପ୍ରଦର୍ଶନ ବେଶ ଭଲ ରହିନାହିଁ | ବିରୋଧୀ କହୁଛନ୍ତି ଯେ ବିଜେଡି ଯୋଜନା ମାଧ୍ୟମରେ ଲୋକଙ୍କୁ ପଇସା ଦେଇ ଭୋଟ କିଣୁଛି | ବିଜେଡିର ୨୨ ବର୍ଷ ଶାସନ ଭିତରେ ସେ ଭଳି ଉନ୍ନତିମୂଳକ କାର୍ଯ୍ୟ କରିନାହିଁ ବୋଲି ବିରୋଧୀ କହିଛନ୍ତି |
ରାଜ୍ୟରେ ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ବିବାଦକୁ ନେଇ ତେଜିଛି ରାଜନୀତି | ବିଜେପି ଦାବି କରିଛି ଯେ ଶ୍ରୀମନ୍ଦିର ଚାରିପାଖେ ବେଆଇନ ଭାବେ ଭଙ୍ଗାଭଙ୍ଗୀ ଚାଲିଛି | ଏହି ପ୍ରସଙ୍ଗରେ ସଂସଦରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଲୋଚନା କରିଥିଲେ | ବିଜେଡି ସାଂସଦ ପିନାକୀ ମିଶ୍ର ଜବାବରେ କହିଥିଲେ କି ଶ୍ରୀମନ୍ଦିର କରିଡର ରେ ବାଥରୁମ ତିଆରି ଚାଲିଛି | ଯାହାକୁ ନେଇ ତେଜିଛି ରାଜନୀତି | ଏପଟେ କଂଗ୍ରେସର ପିସିସି ସଭାପତି ଚୟନ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ କିଏ ରାଜ୍ୟରେ କଂଗ୍ରେସ ମଙ୍ଗ ଧରିବ ତାହା ଉପରେ ରହିଛି ନଜର |
ସେପଟେ ଦେଶରେ ମୋଦିଙ୍କ ଜଲୱା ଦେଖିବାକୁ ମିଳିଛି| ମଣିପୁର, ଗୋଆ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ସବୁଠି ବିଜେପି ବହୁମତ ପାଇ ବିଜୟ ଲାଭ କରିଛି | କିନ୍ତୁ ଦେଶରେ କଂଗ୍ରେସ ଏକପ୍ରକାର ସତ୍ତା ହରାଇ ବସିଛି| କଂଗ୍ରେସ ଗଡ କୁହାଯାଉଥିବା ପଂଜାବରେ କେଜ୍ରିୱାଲ ଝାଡୁ ବୁଲାଇ ଦେଇଛନ୍ତି | ପଂଜାବରେ କଂଗ୍ରେସ ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ ପାଲଟିଛି।