୪ ପ୍ରତିଶତ ସୁଧ ବ୍ୟତୀତ ମିଶନ ଶକ୍ତିର ସଂପୂର୍ଣ୍ଣ ଟଙ୍କା କେନ୍ଦ୍ର ସରକାରଙ୍କର, ରାଜ୍ୟ ସରକାରର କେବଳ ବାଃ ବାଃ ନେବା ପାଇଁ ବ୍ୟସ୍ତ : ସ୍ମୃତି ପଟ୍ଟନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋଦୀ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ କରୁଛନ୍ତି ଯାହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅର୍ଥ ଯୋଗାଉଛନ୍ତି କିନ୍ତୁ ସବୁ “ମୁଁ କରୁଛି” ବୋଲି ମୁଖ୍ୟମନ୍ତ୍ରୀ ନବୀନ ବାବୁ କହି ମିଛଠାରେ ବାଃ ବାଃ ନେବାର ଅପପ୍ରୟାସ ଜାରୀ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ, ମାଗଣା ଚାଉଳ, ଉଡାନ୍ ଯୋଜନାରେ ବିମାନ ଚଳାଚଳ, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାକୁ ନିଜ ନାମରେ ନାମିତ କରି ଓଡିଶାବାସୀଙ୍କୁ ଦିନରେ ଲଂଠନ ଦେଖାଉଛନ୍ତି ରାଜ୍ୟ ସରକାର ।

ସେହିପରି ମହିଳା ସଶକ୍ତିକରଣ ପାଇଁ ବଦ୍ଧପରିକର ମୋଦି ସରକାରଙ୍କ ‘ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ରାଷ୍ଟ୍ରୀୟ ଗ୍ରାମୀଣ ଆଜିବୀକା ମିଶନ’ ଅନ୍ତର୍ଗତ ଆସୁଥିବା ବ୍ୟାପକ ଟଙ୍କାକୁ ଚଂଚକତା କରି ନିଜ ନାମରେ ବ୍ରାଣ୍ଡିଂ କରିବାକୁ ମଧ୍ୟ ପଛାଉ ନାହାନ୍ତି ରାଜ୍ୟ ସରକାର । ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଏହି କୁତ୍ସିତ ମନୋଭାବକୁ ଓଡ଼ିଶାବାସୀ ଭଲଭାବେ ହୃଦୟଙ୍ଗମ କରିସାରିଲେଣି ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟାନାୟକ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ୱ ଜନକଲ୍ୟାଣ ଯୋଜନା ନାହିଁ । କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ଏବଂ ମୁଖ୍ୟମନ୍ତ୍ରୀ ନିଜର ଫଟୋଚିତ୍ର ଦେଇ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ମିଶନ ଶକ୍ତି ଜରିଆରେ ଓଡିଶାରେ ୭ଲକ୍ଷ ସ୍ୱୟଂ ସହାୟକା ଗୋଷ୍ଠୀ ଗଠନ କରି ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଇଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି ।

ବାସ୍ତବରେ ୮୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ କାମରେ ନିୟୋଜିତ ଥିବା ବେଳେ ମାତ୍ର ୫୯ହଜାର ୪୦୪ ଏସ୍‌ଏଚ୍‌ଜି ରୋଜଗାରକ୍ଷମ ହୋଇପାରିଛନ୍ତି । ଯାହା ଓଡିଶାରେ ପଞ୍ଜିକୃତ ହୋଇଥିବା ଏସଏଚଜିର ମାତ୍ର ୮ପ୍ରତିଶତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମସ୍ତ ଯୋଜନାକୁ ନିଜ ନାମ କରି ବାଃ ବାଃ ନେବା ବନ୍ଦ କରନ୍ତୁ ଏହି କଥାକୁ ଭାରତୀୟ ଜନତାପାର୍ଟି ଦୃଢ ନିନ୍ଦା କରୁଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଋଣ ଛାଡରେ କେନ୍ଦ୍ର ଓ ରାଜ୍ୟ କେତେ ଦେଉଛନ୍ତି ଏହା ଜାଣିବା ସାଧାରଣ ଜନତାଙ୍କ ଅଧିକାର ଅଛି । ମିଶନ ଶକ୍ତି ଯୋଜନାରେ ରାଜ୍ୟ ସରକାର ୦% ସୁଧ ହାରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଯୋଗାଇ ଦେଉଥିବାର କଥା କହିଛନ୍ତି । ମହିଳାଙ୍କୁ ସୁଧ ରିହାତି ପଛରେ ଶ୍ରେୟ କେନ୍ଦ୍ରର । କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଆଜୀବିକା ମିଶନରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ନାବାର୍ଡ ମାଧ୍ୟମରେ କେନ୍ଦ୍ର ଦେଉଛି ଋଣ ।

ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନିଜେ ସିଧାସଳଖ ବହନ କରନ୍ତି । ପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି । ଏସମସ୍ତ ସୁଧ ରାଶି କେନ୍ଦ୍ର ସରକାର ବ୍ୟାଙ୍କକୁ ସିଧା ପୈଠ କରନ୍ତି । ଅର୍ଥାତ ମୋଟ ସୁଧ ରାଶିର ୭% ହେଉଛି କେନ୍ଦ୍ର ସରକାରଙ୍କର, ୪% ହେଉଛି ରାଜ୍ୟ ସରକାରଙ୍କର ।

ଗତକାଲି ୧୨୫କୋଟି ଋଣ ବାଂଟି କହିଲେ ନବୀନ ବାବୁ ଦେଉଛନ୍ତି, ହେଲେ ୧୨୫ କୋଟିରୁ କେନ୍ଦ୍ର ୮୮କୋଟି ଛାଡ କରିଛି । ମାତ୍ର ୩୭ କୋଟି ଛାଡ କରି ବିଜେଡି କହୁଛି ମୁଁ କହିଛି । ଏହି ଯୋଜନାକୁ ଗ୍ରାଉଣ୍ଡ ଜିରୋରେ ନିରୀକ୍ଷଣ କରିବା ପାଇଁ ପୁରା ଦେଶରେ ମୋଟ ୩ଲକ୍ଷ ୮୪ହଜାର ମହିଳା ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ସିଆରପି) କାମ କରନ୍ତି । ସେମାନଙ୍କ ଦରମା କେନ୍ଦ୍ର ସରକାର ଦିଅନ୍ତି । କିନ୍ତୁ ଏଠାରେ ବି ରାଜ୍ୟ ସରକାର ବିନା ସୁଧରେ ଏସଏଚଜିମାନଙ୍କୁ ଋଣ ଦେଉଛନ୍ତି ବୋଲି ମିଛ ବାହାବା ନେଉଛନ୍ତି ।

ବାସ୍ତବରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଆର୍ଥୀକ ସଶକ୍ତି କରଣ କରିବା ହେଉଛି କେନ୍ଦ୍ର ସରକାରଙ୍କର ଜାତୀୟ ଜୀବିକା ମିଶନର ଏକ ଜାତୀୟ କାର୍ଯ୍ୟକ୍ରମ । ଓଡିଶା ସମେତ ଦେଶର ୭୧୧ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲିଛି । ଓଡିଶାର ସମସ୍ତ ବ୍ଲକ ସମେତ ପୁରା ଦେଶର ୬୮୬୧ଟି ବ୍ଲକରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଆର୍ଥୀକ ଲାଭ ପାଉଛନ୍ତି । ଓଡିଶାର ସମସ୍ତ ଗୋଷ୍ଠୀ ସହିତ ସମଗ୍ର ଦେଶରେ ୩୩ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ମୋଟ ୪ଲକ୍ଷ ୭୫ହଜାର ୨୧୫କୋଟିର ରିଭଲଭିଙ୍ଗ ଫଣ୍ଡ ଦିଆଯାଉଛି । ହେଲେ ଓଡିଶାରେ ବିଜୁ ଜନତା ଦଳର ସରକାର ଏହାକୁ ଆମେ ଦେଉଛୁ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ବିଭାଗୀୟ ସଚିବ ସୁଜାତା କାର୍ତିକେୟନ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ‘ଇନକମ୍ ଜେନେରେଟିଙ୍ଗ ରିପୋର୍ଟ’ ଦେଇ ପାରିବେ କି? ମହିଳାଙ୍କ ଆର୍ଥିକ ସ୍ଥିତିରେ ସ୍ୱାବଲମ୍ବିତା ଆସିଛି କି? ଏଠାରେ ୨୩ବର୍ଷର ସ୍ଥିର ସରକାର ହେଲେ ବିଚଳିତ ମନ । ଏହା ହୀନମାନ୍ୟତାର ପରିଚୟ । ମାଗଣା ଚାଉଳ, ଆବାସ, ଜନନୀ ସୁରକ୍ଷା, ରାଉଲକେଲାକୁ ବିମାନ ଉଡାଣ ପରି ଏଠି ବି ହୀନ ରାଜନୀତି । ଏହି ହିସାବକୁ ନେଇ ଗାଁ ଗାଁ ପଡାକୁ ଯିବ ବିଜେପି ମହିଳା ମୋର୍ଚ୍ଚା ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡଜେନା, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଏବଂ ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.