ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରିକ୍ସ ସମ୍ମିଳନୀରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ ହୋଇଛି କଥାବାର୍ତ୍ତା । ବ୍ରିକ୍ସ ନେତାମାନେ ମିଳିତ ସାମ୍ବାଦିକ ସମ୍ମିଳନୀରେ ମିଳିତ ବାର୍ତ୍ତା ଦେବାକୁ ଯିବା ସମୟରେ ମୋଦୀ ଓ ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ମୋଦୀ-ଜିନପିଙ୍ଗ ପରସ୍ପର ସହିତ ହାତ ମିଳାଇଥିଲେ। ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ସମ୍ପୂର୍ଣ୍ଣ ରୂପେ ଅନୌପଚାରିକ ଥିଲା। ଏହା ପରେ ଉଭୟ ନେତା ଔପଚାରିକ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ଦୁଇ ନେତା ପୂର୍ବ ଲଦାଖରେ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିଥିଲେ। ଆଲୋଚନା କାଳରେ ସୀମାର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ତ୍ବରାନ୍ବିତ କରିବାକୁ ସମ୍ମତି ପ୍ରକାଶ କରିଥିଲେ।
ବୈଦେଶିକ ସଚିବ ବିନୟ ମୋହନ କ୍ବାତ୍ରାଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ଜିନପିଙ୍ଗ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଭାରତର ଉଦ୍ବେଗକୁ ଗୁରୁତ୍ବ ଦେଇଥିଲେ। ୨୦୨୨ରେ ଇଣ୍ଡୋନେସିଆର ବାଲିରେ ଆୟୋଜିତ ଜି-୨୦ ସମ୍ମିଳନୀ ଅବସରରେ ଦୁଇ ନେତା ଏକାଠି ହୋଇଥିଲେ।