ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଅକଳରେ ପଡି ଯାଇଛନ୍ତି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ତାଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ତାଙ୍କ ବୋହୂ ରୋନାଲି ବେହେରା ଶ୍ୱଶୁର ଶଶିଭୂଷଣ ବେହେରାଙ୍କ ସହିତ ସ୍ୱାମୀ ସତ୍ୟପ୍ରକାଶ ବେହେରା, ଶାଶୁ ସୁପ୍ରଭା ମହାନ୍ତି, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ନାଁରେ ଏଫଆଇଆର ଦେଇଛନ୍ତି।
ଗତ ମାର୍ଚ୍ଚ ୩ ତାରିଖରୁ ରୋନାଲି କଟକ ଜିଲ୍ଲା ବାଙ୍କୀ ଥାନାରେ ଏତଲା ଦେଇ ସାରିଛନ୍ତି।ରୋନାଲି ତାଙ୍କ ଏତଲାରେ ଦର୍ଶାଇଛନ୍ତି, ନିର୍ବନ୍ଧ ସମୟରେ ମୋ ଶ୍ୱଶୁର ଶଶିଭୂଷଣ ବେହେରା, ଶାଶୁ ସୁପ୍ରଭା ମହାନ୍ତି ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତି ମୋ ବାପାମା’ଙ୍କୁ ବାହାଘର ବେଳେ କାଠର କୌଣସି ଘରକରଣା ଜିନିଷ ନ ଦେବା ପାଇଁ କହିଥିଲେ। ତା’ ବଦଳରେ ସୁନା ଜିନିଷ ଓ ଟଙ୍କା ଦେବା ପାଇଁ କହିଥିଲେ। ତା’ ସହିତ ଦୁଇଟି ନଣଦ ପୁଟୁଳି ଦେବାକୁ କହିଥିଲେ। ନଣଦ ପୁଟୁଳିରେ ସୁନା ଜିନିଷ ଦେବାକୁ କହିଥିଲେ। ଏହା ସହିତ ରୁପାର ଥାଳି ଦେବାକୁ କହିଥିଲେ। ସେମାନଙ୍କ ଦାବି ମୁତାବକ ମୋ ବାପା ସବୁ ଜିନିଷ ଦେଇଥିଲେ।ବାହାଘର ପରେ ୧୦/୧୨ ପର୍ଯ୍ୟନ୍ତ ଭଲରେ ରହିଲି। ତା’ପରେ ମୋ ଶାଶୁ, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ମୁଁ ପିନ୍ଧିଥିବା ସୁନା ଅଳଙ୍କାର ଶାଶୁଙ୍କୁ ଦେବା ପାଇଁ କହିଥିଲେ। ମୁଁ ଏକ ସୁନା ଚେନ୍ ଓ ମୁଦି ବ୍ୟତୀତ ଆଉ ସବୁ ଗହଣା ଶାଶୁଙ୍କୁ ଦେଇଦେଲି। ସୂଚନାଥାଉକି, ୨୦୨୧ ମାର୍ଚ୍ଚ ୩ ତାରିଖରେ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କ ବିବାହ କଟକ ବାଙ୍କୀ ଅଞ୍ଚଳର ବେଦପୁରର ଅବସରପ୍ରାପ୍ତ ବିଚାରପତି ଗୋଖା ବେହେରାଙ୍କ ଝିଅ ରୋନଲିଙ୍କ ସହିତ ସମ୍ପନ୍ନ ହୋଇଥିଲା।
ଏ ଖବର ସାମ୍ନାକୁ ଆସିଲା ପରେ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କର ବିଶ୍ୱାସ ଅଛି ବୋଲି ରୋନାଲିଙ୍କ ବାପା ଗଣମାଧ୍ୟମରେ କହିଛନ୍ତି। ଘଟଣାଟି ଏବେ ତଦନ୍ତ ପରିସରଭୁକ୍ତ ଅଛି।
ବୋହୂଙ୍କ ଅଭିଯୋଗ ନେଇ ବିଧାୟକ ଶଶି ବେହେରା କହିଛନ୍ତି, ମୋ ନାଁରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପୁଅ-ବୋହୂଙ୍କ ଭିତରର କଥା।ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଥାଇପାରେ। ଆମ ଘରେ ମାସେ ୧୧ ଦିନ ରହିବା ପରେ ବୋହୂ ତାଙ୍କ ଘରକୁ ଯାଇଛି। ନିଜେ ତାଙ୍କ ବାପା ଆସି ବୋହୂକୁ ଘରକୁ ନେଇ ଯାଇଛନ୍ତି। ଆଉ ରହିଲା ମୁଁ ଯୌତୁକ ମାଗିବା କଥା, ତାହା ସଂପୂର୍ଣ୍ଣ ଭିତ୍ତିହୀନ। ମୋ ବିଷୟରେ ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି। ଅର୍ଥ ଓ ଯୌତୁକ ନେଇ ମୋର ଆଚରଣ କଣ ସମସ୍ତେ ଜାଣନ୍ତି। ନିମନ୍ତ୍ରଣ କାର୍ଡରେ କିଛି ଗିଫ୍ଟ ନଆଣିବାକୁ ମୁଁ ଲେଖିଥିଲି। ଏହି ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ହେଉଛି।