ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖଣିଜ ସମ୍ପଦରେ ଭରପୁର ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଲୁହା ଖଣିରେ ଲୁହା ପଥର ବୋଝେଇ ଟ୍ରକରେ ଅନିୟମିତତା ହେଉଥିବାର ଅଭିଯୋଗ ହୋଇଛି। ରାଜ୍ୟ ବାହାର କମ୍ପାନୀ ମାଲିକ ମାନଙ୍କ ମନଇଚ୍ଛା ନିୟମ ପାଇଁ ସ୍ଥାନୀୟ ଗାଡି ମାନଙ୍କୁ ଲୁହା ପଥର ଲୋଡିଂ ଦିଆଯାଉନାହିଁ। ଯାହାକୁ ନେଇ ବାଦାମପାହାଡ଼ କୁସୁମୀ ବ୍ଲକ୍ ଟ୍ରକ ମାଲିକ ସଂଘ ପକ୍ଷରୁ ବାରିପଦା ଠାରେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ବାଦାମପାହାଡ଼ ଲୁହା ଖଣିରେ ଲୁହାପଥର ବୋଝେଇ ନିମନ୍ତେ ଆବଶ୍ୟକୀୟ ଟ୍ରକ ଟ୍ରକ ମାଲିକ ସଂଘ ପ୍ରଦାନ କରିବା ପାଇଁ ପୂର୍ବରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା। କିନ୍ତୁ ଖଣି ମାଲିକଙ୍କ ଏକ ତରଫା ନୀତି ପାଇଁ ତାଙ୍କୁ ଲୋଡିଂ ଦିଆଯାଉନାହିଁ।
ଯାହା ଦ୍ବାରା ବାଦାମପାହାଡ଼ ଟ୍ରକ ମାଲିକ ସଂଘର ଗାଡ଼ି ମାନ ଲୋଡିଂ ନପାଇ ଅଧିକାଂଶ ସମୟରେ ଖାଲି ଗାଡି ଠିଆ ହୋଇ ରହୁଛି। ଏହାର ସିଧାସଳଖ କୁପ୍ରଭାବ ଗାଡି ମାଲିକ ମୁଣ୍ଡରେ ଚାପ ଆକାରରେ ପଡ଼ିଛି। ଗାଡ଼ିର ଇଏମଆଇ, ଡ୍ରାଇଭର ଓ ହେଲପର ଦରମା, ଗାଡ଼ିର ଆବଶ୍ୟକୀୟ କାଗଜପତ୍ର, ଆବଶ୍ୟକୀୟ ଜରୁରୀ ଯନ୍ତ୍ର ମୁଲ୍ୟକୁ ଉଚିତ୍ ସମୟରେ ପୈଠ କରିପାରୁନାହାଁନ୍ତି। ମାଲିକ ମାନେ ନାନା ପ୍ରକାର ମାନସିକ ଚାପର ଶିକାର ହେଉଛନ୍ତି। ସ୍ଥାନୀୟ ମାଲିକଙ୍କ ୧୩୦ ଖଣ୍ଡ ଗାଡି ୩୦ ବର୍ଷରୁ ଉର୍ଦ୍ଧ୍ବ ହେବ ଟିପର ଏବଂ ହାଇୱା ଯୋଗେ ପାହାଡ଼ ଉପରୁ ମାଲ ବୋଝେଇ କରି ନିମ୍ନ ସ୍ଥାନକୁ ପରିବହନ କରୁଥିଲେ। ମାତ୍ର ୨୦୨୦ରେ ଖଣି ନବୀକରଣ ହେବା ପରେ ସମସ୍ତ ଗାଡ଼ିକୁ ଖଣି ମାଲିକ ପରିବହନରୁ ବହିଷ୍କୃତ କରିଛନ୍ତି। ସ୍ଥାନୀୟ ଲୋକମାନଙ୍କୁ ବଞ୍ଚିତ କରି କମ୍ପାନୀ ନିଜ ହାଇୱା ଯୋଗେ ମାଲ୍ ପରିବହନ ତଥା ବାହାର ରାଜ୍ୟରୁ ପେଟି କଣ୍ଟ୍ରାକ୍ଟର ଯୋଗେ ପାହାଡ଼ ଉପରୁ ତଳକୁ ମାଲ ପରିବହନ କରୁଛନ୍ତି। କୁସୁମୀ ବ୍ଲକ୍ ଟ୍ରକ ମାଲିକ ସଂଘରେ ସର୍ବମୋଟ ୧୧୦ ଗୋଟି ଟ୍ରଲର ଗାଡ଼ି ଥାଇ ମଧ୍ୟ ମାଲ୍ ପରିବହନ ନିମନ୍ତେ ନିଜ କମ୍ପାନୀ ଗାଡ଼ି ଓ ବାହାର ରାଜ୍ୟ ଟ୍ରେଲର ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ସ୍ଥାନୀୟ ଗାଡ଼ି ମାତ୍ରକ ୧୦ରୁ ୧୨ ଗୋଟି ଗାଡ଼ି ନିୟୋଜିତ କରାଯାଇଛି।
ଆଗକୁ ଖଣି ମାଲିକ ଆହୁରି ଅନେକ ନୂତନ ଟ୍ରିପ୍ ଟ୍ରେଲର ଗାଡ଼ି ଆଣୁଛନ୍ତି। ଯାହାଦ୍ୱାରା ସ୍ଥାନୀୟ ମାଲିକ ମାନଙ୍କ ଗାଡ଼ି ବେପାର କରି ପେଟ ଏବଂ ପରିବାର ଭରଣ ପୋଷଣ କରିବା କଷ୍ଟକର ହେବାକୁ ଯାଉଛି। ଯାହା ଏକ ଘୋର ସମସ୍ୟା ସୃଷ୍ଟି ହୋଇଥିବା ବେଳେ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ସ୍ଥାନୀୟ ଗାଡ଼ିଙ୍କୁ ସୁରଖୁରରେ ଲୋଡିଂ ଦେବାକୁ ବ୍ୟବସ୍ଥା କରିବାକୁ ଦାବି ଉପସ୍ଥାପନ କରିଛନ୍ତି। ଦାବି ଅନୁଯାୟୀ, ପ୍ରତ୍ୟେକ ଦିନ ପ୍ରତ୍ୟେକ ଗନ୍ତବ୍ୟସ୍ଥଳକୁ ସ୍ଥାନୀୟ ଗାଡ଼ି ନିମନ୍ତେ ଲୋଡିଂ ବ୍ୟବସ୍ଥା କରିବା, ଖଣି ମାଲିକଙ୍କ ଗାଡ଼ି ଅନୁପାତ ଅନୁସାରେ ପ୍ରତ୍ୟେକ ଦିନ ସମାନ ଅନୁପାତରେ ଲୋଡିଂ, ବାହାର ରାଜ୍ୟରୁ ଆସୁଥିବା (ଜେ-ସ୍-ଟି) ଟ୍ରେଲର ଗାଡ଼ିକୁ ଯଥା ଶୀଘ୍ର ବନ୍ଦ୍ କରିବା, ଖଣି ମାଲିକ ଓ ଗାଡି ମାଲିକଙ୍କ ମଧ୍ୟରେ ଯଥାଶୀଘ୍ର ସୁବିଚାର ଆଲୋଚନା କରି ଖଣି ମାଲିକଙ୍କ ଖଳଚକ୍ରାନ୍ତ ବନ୍ଦ କରିବାକୁ ନିବେଦନ କରାଯାଇଛି। ସମସ୍ୟାର ସଠିକ୍ ଅନୁସନ୍ଧାନ କରି ୭ଦିନ ମଧ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନକରିଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଛନ୍ତି।