ଅଧା ମୂଲ୍ୟରେ ଗାଡ଼ି ପାଇବା ଆଳରେ ଠକାମୀ ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଧା ମୂଲ୍ୟରେ ଗାଡ଼ି ପାଇବା ଆଳରେ ଅନେକ ଲୋକେ ଠକାମୀର ଶିକାର ହୋଇଛନ୍ତି। ଠକ ସ୍ୱାମୀ ଓ ସ୍ତ୍ରୀକୁ ପୁଲିସ ଧରିଥିବା ବେଳେ କିସ୍ତି ଦେବା ପାଇଁ ଗାଡି ଫାଇନାନ୍ସ କମ୍ପାନୀର ପ୍ରାଦୁର୍ଭାବକୁ ନେଇ ଚିନ୍ତାରେ ପଡିଛନ୍ତି। ଯାହାକୁ ନେଇ ଲୋକେ ଗୁରୁବାର ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଠକାମୀ ଟଙ୍କା ଫେରସ୍ତ ପାଇବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି। ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମର କବିତା ସିଂ ତାଙ୍କ ସ୍ଵାମୀ ବାପି ବେହେରାଙ୍କ ସହିତ ମିଶି କମ୍ପାନୀର ଅଫର ଅଛି କହି ଲୋକଙ୍କୁ ଠକିଥିଲେ।

କମ୍ପାନୀ ମୂଲ୍ୟ ଠାରୁ ଅଧା ଦାମରେ ବିଭିନ୍ନ ଗାଡ଼ି ଯୋଗାଇ ଦେବା ଆଳରେ ଜିଲ୍ଲାବ୍ୟାପି ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଛନ୍ତି। ବାଇକ କିମ୍ବା କାର ଯେଉଁ ଗାଡ଼ି ନେବ ତାର ପ୍ରକୃତ ମୂଲ୍ୟ ଠାରୁ ଅଧା ଦାମରେ ନୂତନ ଗାଡ଼ି ମିଳିବ ବୋଲି କହି ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରିଥିଲେ। ଲୋକଙ୍କ ଇଚ୍ଛା ଅନୁଯାଇ ବାଇକ, ସ୍କୁଟି, ବୁଲେଟ ଇତ୍ୟାଦି ଯୋଗାଇ ମଧ୍ୟ ଦେଇଥିଲେ। ଅଧା ଦାମରେ ଗାଡ଼ି ପାଇ ଲୋକେ ଖୁସୀ ହୋଇଥିଲେ। ମାତ୍ର ଏହି ଖୁସୀ ବେଶ ଦିନ ନଥିଲା। ଗାଡ଼ି ପାଇବାର କିଛି ମାସ ପରେ ଫାଇନ୍ସ କମ୍ପାନୀ କିସ୍ତି ପ୍ରଦାନ କରି ନଥ‌ିବା ଅଭିଯୋଗରେ ଗାଡ଼ି ଗୁଡ଼ିକ ଟାଣି ନେଇଥିଲା। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଲୋକମାନେ ଘଟଣା ସଂପର୍କରେ ଜାଣି ମହିଳାଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସ୍ୱାମୀ ଓ ସ୍ତ୍ରୀ ବିଭିନ୍ନ ଆଳ ଦେଖାଇ ଠକି ଚାଲିଥିଲେ। ଏଥିପରେ ଆଉ ଧରା ଛୁଆଁ ଦେଇନଥିଲେ। ଯାହାକୁ ନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ତଦନ୍ତ କରି ସ୍ଵାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଥିଲେ। ସେମାନେ ଖୁଣ୍ଟା, ବାରିପଦା, ଉଦଳା, କପ୍ତିପଦା, ଶରତ ସମେତ ପୋଡ଼ଶୀ ବାଲେଶ୍ଵର ଜିଲ୍ଲାର ସହଦେବ ଖୁଣ୍ଟା, ଚାନ୍ଦିପୁର ଆଦି ଥାନା ଅଧୀନରେ ଥ‌ିବା ବିଭିନ୍ନ ଥାନା ଇଲାକାରୁ ଶତାଧିକ ଲୋକଙ୍କ ଠାରୁ ଏଭଳି ଅଭିନବ ଉପାୟରେ ଠକିଥ‌ିବା ବେଳେ ସେମାନେ ବର୍ତ୍ତମାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫାଇନାନ୍ସ ସଂସ୍ଥା କିସ୍ତି ଟଙ୍କା ମାଗିଥିବା ବେଳେ ସେମାନେ ତାହା ଦେବାକୁ ଅସମର୍ଥ ଅଟନ୍ତି। ଯାହାକୁ ନେଇ ଠକାମୀ ଟଙ୍କା ଫେରସ୍ତ କରିବା କିମ୍ବା କିସ୍ତି ଟଙ୍କା ଛାଡ଼ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇଛନ୍ତି।

Comments are closed.