ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏନଜିଓ ସଂସ୍ଥା ଦ୍ଵାରା ଆୟୁଷ ପ୍ରକଳ୍ପରେ ଯୁବକ ଯୁବତୀ ମାନଙ୍କୁ କାର୍ଯ୍ୟ କରାଇ ୩ମାସର ପାରିଶ୍ରମିକ ଟଙ୍କା ଦେଉନାହିଁ। ଯାହାକୁ ନେଇ ଠକାମୀର ଶିକାର ଯୁବକ ଯୁବତୀ ମାନେ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ରମାଦେଇପୁର ଗ୍ରାମ ପଞ୍ଚାୟତର ପାନ୍ଧଡା ଗ୍ରାମର ଦେବାଶିଷ ଶତପଥୀ ଓ ଜୟନ୍ତୀ ଦାସ ଏକ ଏନଜିଓ ସଂସ୍ଥା ଚଳାଇଥିଲେ। ଆଦିବାସୀ ଏବଂ ମହିଳା ଉନ୍ନୟନ ସଂସ୍ଥା ନାମରେ ଆୟୁଷ ପ୍ରଜେକ୍ଟର ୭୪ଜଣ କର୍ମଚାରୀ କରିଥିଲେ। ଚଳିତ ବର୍ଷ ମଇ ୧ ତାରିଖ ଠାରୁ ଅଗଷ୍ଟ ମାସ ୧୪ ତାରିଖ ପର୍ଯ୍ୟନ୍ତ ଅବିରତ କାର୍ଯ୍ୟ କରିଥିଲେ ସୁଦ୍ଧା ପାରିଶ୍ରମିକ ପାଇନଥିଲେ।
ଯୁବକ ଯୁବତୀଙ୍କୁ ମାସକୁ ୧୦ରୁ ୧୨ ହଜାର ଟଙ୍କା ଦରମା ଦେବ ବୋଲି କହି ୩ ମାସ ଧରି ସେମାନଙ୍କୁ ଦରମା ନଦେବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ନିଜର ପାରିଶ୍ରମିକ ବାବଦରେ କହିଲେ ଉଭୟ ଅସଦାଚରଣ ଏବଂ ଅପଭାଷାରେ ଗାଳି ଗୁଲଜ କରିଥିଲେ। ଏନେଇ ସେମାନେ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଉପସ୍ଥିତିରେ ସଂସ୍କାର ନିର୍ଦ୍ଦେଶକ ଏବଂ ଯୁଗ୍ମ ନିର୍ଦ୍ଦେଶକ ୫ଟି କିସ୍ତିରେ ସମସ୍ତ ପାରିଶ୍ରମିକ ପ୍ରଦାନ କରିବେ ବୋଲି ଚୁକ୍ତିନାମା କରିଥିଲେ। କିନ୍ତୁ ତାହାକୁ ପାଳନ କରିଲେ ନାହିଁ। ଚୁକ୍ତି ଅନୁଯାୟୀ କର୍ମଚାରୀ ମାନଙ୍କୁ ଯୋଗାଯୋଗ କରି ପାରିଶ୍ରମିକ ଟଙ୍କା ପ୍ରଦାନ କରିଲେ ନାହିଁ।
ଏନେଇ ସେମାନେ ଥାନା ଅଧିକାରୀଙ୍କୁ କହିବାରୁ ସେ ଏ ବାବଦରେ କୋଣସି କଥା ନଶୁଣି, ଗୋଷ୍ଠୀ ହୋଇ ଥାନାରେ ଛିଡା ହୋଇ ରହିଲେ ମାମଲା ରୁଜୁ କରିବେ ବୋଲି ଧମକ ଦେଇଥିଲେ ବୋଲି କହିଛନ୍ତି। ତେଣୁକରି ଯୁବକ ଯୁବତୀ ମାନେ ନିରାଶ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆର୍ଥିକ ହେରଫେର କରିଥିବା ଏନଜିଓ ସଂସ୍ଥାରୁ ପାରିଶ୍ରମିକ ଟଙ୍କା ପାଇବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ଜଣାଇଛନ୍ତି।