ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମାସକରେ ଡବଲ । ଦିନ କେଇଟାରେ ପିଆଜ ଦର ଦୁଇଗୁଣ ବଢିଯାଇଛି । କଟକ ଛତ୍ର ବଜାରରେ ଭଲ ଜାତିଆ ପିଆଜ ଏବେ କିଲୋ ପିଛା ୬୦ ଟଙ୍କାରେ ବିକ୍ରୀ ହେଲାଣି । ଉପରମୁଣ୍ତରେ ଦର ନକମିଲେ , ଆଗକୁ ପିଆଜ ଦର ଆହୁରି ବଢିପାରେ । ତେଣୁ ଖାଉଟି ମହଲରେ ଚିନ୍ତା ବଢିବାଟା ସ୍ବାଭାବିକ । ଅନ୍ୟାନ୍ୟ ପରିବା ଦର ବୃଦ୍ଧି ମଧ୍ୟରେ ପିଆଜ ହଠାତ୍ ବଢିଯିବା ଦ୍ୱାରା ଗ୍ରାହକ ଅସୁବିଧାରେ ପଡ଼ିଛନ୍ତି ।
ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି । ନଭେମ୍ବର ମାସରେ ନୂଆ ପିଆଜ ଆସିଲେ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି । ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇଥିଲା । ୨ ସପ୍ତାହରେ ପିଆଜ ଦର ପାଖାପାଖି ୧୦ ଟଙ୍କା ବୃଦ୍ଧି ପାଇଥିଲା । ସେଥିପାଇଁ ଆଗୁଆ ସତର୍କ ହୋଇ ପିଆଜ ଉପରେ ରପ୍ତାନୀ ଶୁଳ୍କକୁ ୪୦ ପ୍ରତିଶତ ବଢ଼ାଇଥିଲେ କେନ୍ଦ୍ର ସରକାର ।
ଦୈନନ୍ଦିନ ଜୀବନରେ ଯେଉଁ ପିଆଜ ପ୍ରତ୍ୟେକ ଓଡିଆଙ୍କ ହାଣ୍ତିଶାଳରେ ଆବଶ୍ୟକ ପଡେ । ତାର ମୂଲ ଏବେ ଆକାଶଛୁଆଁ । ମାତ୍ର ସପ୍ତାହେ ଭିତରେ ଦର ଦୁଇଗୁଣା ଯାଏଁ ବୃଦ୍ଧି ପାଇଛି । ସାମାନ୍ୟ ଓଦାଳିଆ ପିଆଜ ୪୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ କିଲୋ ପିଛା ବିକ୍ରୀ ହେଉଛି । ହେଲେ କଟକ ଛତ୍ରବଜାର ପରିବା ହାଟରେ ଜାତିୟା ପିଆଜର ଦର ଆଜି କିଲୋ ପିଛା ୬୦ ଟଙ୍କା ଛୁଇଁଛି ।