ବୀରତ୍ୱର ଅନ୍ୟ ନାମ ନେତାଜୀ ସୁବାଷ ଚନ୍ଦ୍ର ବୋଷ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ): ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ବୀର ଯୋଦ୍ଧା ହେଉଛନ୍ତି ନେତାଜୀ ସୁବାଷ ଚନ୍ଦ୍ର ବୋଷ । ତାଙ୍କ ନାଁ’ ଶୁଣିଲେ ଛନକା ପସୁଥିଲା ଇଂରେଜଙ୍କ ଛାତିରେ । ଅନେକ ଥର ବେଶ ବଦଳାଇ ପିରିଙ୍ଗି ସେନାକୁ ଚକମା ଦେଇଛନ୍ତି ସେ । ସେ ଥିଲେ ଦେଶଭକ୍ତ, ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶା ମାର ବୀରପୁତ୍ର ସଂଗ୍ରାମୀ। ସେ କହୁଥିଲେ “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି”, “ପରାଧିନତାର ଶୃଙ୍ଖଳକୁ ଭାଙ୍ଗି ସ୍ଵାଧୀନତାର ସୂର୍ୟ୍ୟାଦୟ ଦେଖାଇବି” । ତାଙ୍କର ଆହ୍ଵାନରେ ପିରିଙ୍ଗି ବିରୋଧରେ ଏକଜୁଟ ହୋଇଥିଲେ ଭାରତୀୟ । ଆଜାଦ ହିନ୍ଦ ଫୌଜ ଦେଶକୁ ଦେଖାଇଥିଲା ବାଟ, ଇଟାର ଜବାବ ଇଟାରେ ନୁହେଁ ପଥରରେ ଦେବାକୁ କହୁଥିଲେ ସେ ।

୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଓଡ଼ିଶାର କଟକ ରେ ଜନ୍ମଗ୍ରହଣ କରିଥିଲେ ସେ । ଜାନକୀନାଥ ବୋଷଙ୍କର ପୁତ୍ର ଭାବରେ ସୁଭାଷ ସମଗ୍ର ବିଶ୍ଵର ବିସ୍ମୟ ବିଦ୍ରୋହୀ ସଂଗ୍ରାମୀ ନେତା ଭାବରେ ପରିଚିତ ହୋଇଥିଲେ । ୧୯୦୮ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ଖୁଦୀରାମଙ୍କୁ ଇଂରେଜ ସରକାରଙ୍କଦ୍ୱାରା ଫାସି ଦିଆଯାଇଥିଲା । ସୁଭାଷଙ୍କ ଉପରେ ଏହାର ପ୍ରତିର ପ୍ରଭାବ ପଡ଼ିଲା । ୧୯୧୧ ମସିହା ଅଗଷ୍ଟରେ ରେଭେନ୍ସା କଲେଜିଏଟ ସ୍କୁଲ ଛାତ୍ରାବାସରେ ଚୁଲି ଜଳି ନଥିଲା । ସମସ୍ତେ ଉପବାସ ରହି ଖୁଦିରାମଙ୍କର ସ୍ମୃତି ବାର୍ଷିକ ପାଳନ କରିଥିଲେ। ୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ । ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ସୁଭାଷଙ୍କୁ ଗିରଫ କରି ଜେଲରେ ରଖାଯାଇଥିଲା, ତଥାପି ସ୍ୱାଧୀନତା ହାସଲ ପାଇଁ ଜାରି ରଖିଥିଲେ ସଂଗ୍ରାମ। ୧୯୩୯ରେ ସେ ଫରୱାର୍ଡ଼ ବ୍ଳକ ନାମକ ଏକ ନୂତନ ଦଳ ଗଠନ କରିଥିଲେ । ସଶସ୍ତ୍ର ଆନ୍ଦୋଳନଦ୍ଵାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ବିଶ୍ଵାସ କରୁଥିଲେ ସେ । ସୁଭାଷଙ୍କର ଏହି ଉଗ୍ରନୀତି ବ୍ରିଟିଶ ସରକାରଙ୍କ ନିଦ ହଜାଇ ଦେଇଥିଲା।

ଭାରତର ସ୍ଵାଧୀନତା ପାଇଁ ଭାରତ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ଜାନୁଆରୀ ୧୭ ତାରିଖରେ ସେ ଭାରତର ସୀମାନ୍ତ ଅତିକ୍ରମ କରି ବର୍ଲିନଠାରେ ପହଞ୍ଚିଥିଲେ । ଜର୍ମାନୀର ନାଜି ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତର ସ୍ଵାଧୀନତା ହାସଲ ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । ବର୍ଲିନଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କଲେ ଓ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ଗଠନ କରିଥିଲେ । ବର୍ଲିନରୁ ଆଜାଦ ହିନ୍ଦ ରେଡ଼ିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ଵାନ ଦେଇଥିଲେ । ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି ତାଙ୍କ ଆହ୍ଵାନରେ ଭାରତୀୟ ମାନେ ଏକଜୁଟ ହୋଇଥିଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜାପାନରେ ରାସ ବିହାରୀ ବୋଷ ନାମକ ଜଣେ ଭାରତୀୟ ଜାପାନ, ବର୍ମା, ମାଳୟ, ପ୍ରଭୃତି ସ୍ଥାନରେ ପ୍ରବାସୀ ଭାରତୀୟ ଓ ଯୁଦ୍ଧ ବନ୍ଦୀମାନଙ୍କୁ ଏକତ୍ରିତ କରି ଭାରତୀୟ ସ୍ଵାଧୀନତା ଲିଗ ଗଠନ କଲେ । ସୁଭାଷ ସିଙ୍ଗାପୁରରେ ଆଜାଦ ହିନ୍ଦ ଫୌଜର ଦାୟିତ୍ଵ ଗ୍ରହଣ କଲେ ଏବଂ ୧୯୪୩ ମସିହା ଅକ୍ଟୋବର ୨୧ତାରିଖ ଦିନ ସେଠାରେ ଏକ ଅସ୍ଥାୟୀ ସ୍ଵାଧୀନ ସରକାର ମଧ୍ୟ ଗଠନ କରିଥିଲେ । ସେହିଠାରୁ ସେ ଆହ୍ଵାନ ଦେଇଥିଲେ ଦିଲ୍ଲୀ ଚଲୋ । ଏହା ସହ ଆରମ୍ଭ ହୋଇଥିଲା ଆଜାଦ ହିନ୍ଦ ଫୌଜର ଅଭିଯାନ । ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହୋଇଥିଲା । ଆଜାଦ ହିନ୍ଦ ଫୌଜ ଦୃଢ଼ ପଦକ୍ଷେପ ବ୍ରିଟିଶ ବାହିନୀର ନିଦ ହଜାଇଦେଇଥିଲା।

Leave A Reply

Your email address will not be published.