ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡ଼ା : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆଜି ପୂର୍ବାହ୍ଣ ୧୧ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର । ସମ୍ମାନନୀୟ ଅତିଥିଭାବେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଡିଏସ୍ପି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଅନୀତା ପଟ୍ଟନାୟକ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡ଼ା ଯୋଗ ଦେଇଥିଲେ । ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି କ୍ଷେତ୍ରରେ ଦୁର୍ନୀତି ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରୀ କର୍ମଚାରୀମାନେ ସେମାନଙ୍କ କର୍ତବ୍ୟ ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ଜନସାଧାରଣଙ୍କୁ ମୂଲ୍ୟବୋଧଭିତିକ ସେବା ଯୋଗାଇବା ଆବଶ୍ୟକ ଏବଂ ବିବେକାନୁମୋଦିତଭାବେ କର୍ତବ୍ୟ ସମ୍ପାଦନ କରିବା ପାଇଁ ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପରିଡ଼ା ମତବ୍ୟକ୍ତ କରିଥିଲେ । ସରକାରଙ୍କ ୫ଟି ପଦକ୍ଷେପକୁ ଭୂୟଂସୀ କରିବା ସହ ଏହାକୁ ନିଷ୍ଠାର ସହ ପାଳନ ହେଲେ ଦୁର୍ନୀତି ଆପେ ଉଭେଇଯିବ ବୋଲି କହିଥିଲେ । ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ଡିଏସ୍ପି ଶ୍ରୀମତୀ ପୁହାଣ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁର୍ନୀତି ସବୁକ୍ଷେତ୍ରରେ ପରିବ୍ୟାପ୍ତ ହୋଇଥିବା ଯୋଗୁଁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାକୁ ରୋକିବା ଦିଗରେ ଜନସଚେତନତା ଜରୁରୀ ବୋଲି ଶ୍ରୀମତୀ ପୁହାଣ କହିଥିଲେ । ଏହି ଅବସରରେ କିଛି ଛାତ୍ରଛାତ୍ରୀ “ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସମର୍ପିତ ରହିବା” ଥିମ୍ ଉପରେ ନିଜର ଅଭିମତ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତାର ୧୯ଜଣ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ରଙ୍ଗୋଲିରେ ଅଂଶଗ୍ରହଣ କରିଥିବା ତୁଳସୀ ମହିଳା ମହାବିଦ୍ୟାଳୟର ୮ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀଶ୍ରୀ ବଳଦେବଜୀଉଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ପରେପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଅଶୋକ ବଳିଆରସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଶାସନକୁ ସ୍ୱଚ୍ଛ, ନିର୍ମଳ ଓ ଉତରଦାୟୀ କରିବା ଉପଲକ୍ଷେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତିବର୍ଷ ଭଳି ଏ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳ ୮ଘଟିକା ସମୟରେ ମିଶନଶକ୍ତି ପକ୍ଷରୁ ଏକ ସଚେତନତା ରାଲି ବାହାରି ସହର କରିକ୍ରମା କରିଥିଲା । ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର । ଏହି ଶୋଭାଯାତ୍ରାରେ ଭିଜିଲାନ୍ସ ଡିଏସ୍ପି ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସତ୍ୟଭାମା ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି, ପ୍ରକଳ୍ପ ସଂଯୋଜିକା ସଂଯୁକ୍ତା ମିଶ୍ର, ମିଶନ୍ ଶକ୍ତି ଜିଲ୍ଲା ସଂଯୋଜକ କୈଳାଶ ଚନ୍ଦ୍ର ସେନାପତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତାମାନେ ଯୋଗ ଦେଇଥିଲେ ।