ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ବିଚାରପତିଙ୍କ ନିଯୁକ୍ତି, ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବା ପାଇଁ ବ୍ୟଗ୍ର: ପୃଥ୍ୱୀରାଜ ହରିଚନ୍ଦନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ । ସ୍ୱର୍ଗତ ଦାସଙ୍କୁ କିଏ ଓ କାହିଁକି ମାରିଲା ଏବଂ ବାସ୍ତବରେ ଏହି ହତ୍ୟାର ଷଡଯନ୍ତ୍ର ପଛରେ କିଏ କିଏ ଅଛନ୍ତି, ସେ ସମ୍ପର୍କରେ ରାଜ୍ୟ ସରକାର ଜାଣିବାକୁ ଚାହୁଁନାହାନ୍ତି । ପ୍ରଥମରୁ ଏହା ପଛରେ ଏକ ବିରାଟ ଷଡଯନ୍ତ୍ର ଥିବାର ରାଜ୍ୟବାସୀ ଅନୁଭବ କରୁଥିବାବେଳେ ରାଜ୍ୟ ସରକାର କାଳ ବିଳମ୍ବ ନକରି କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତର ନିର୍ଦ୍ଦେଶ ଦେଲେ । ଏହା ପରେ ଏହି ଅଭାବନୀୟ ଘଟଣାର ତଦନ୍ତକୁ ଜଣେ ହାଇକୋର୍ଟ ଜଜ୍‌ଙ୍କ ଦ୍ୱାରା ମନିଟରିଂ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରିଲେ ।

ଏହି କ୍ରମରେ ଆଜି ଅବସରପ୍ରାପ୍ତ ଜଜ୍ ଶ୍ରୀ ଜେ.ପି.ଦାସଙ୍କୁ ତଦନ୍ତର ଦାୟୀତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସରକାରର ପୋଲିସ ଜଣକୁ ଗୁଳି ମାରି ହତ୍ୟା କଲେ, ପରେ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଂଚକୁ ତଦନ୍ତ ଭାର ଦିଆଗଲା । ବର୍ତମାନ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତର ତଦାରଖ ଦାୟୀତ୍ୱ ଦିଆଗଲା । ସତେ ଯେପରି ଏହି ଘଟଣାରେ ରାଜ୍ୟ ସରକାର ନିଜକୁ କ୍ଲିନ୍ ଚିଟ୍ ଦେବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ଅକାଳ ମୃତ୍ୟୁ ପଛରେ ବିରାଟ ଷଡଯନ୍ତ୍ର ଦିନକୁ ଦିନ ଘନୀଭୁତ ହେଉଥିବାବେଳେ ରାଜ୍ୟ ସରକାର ଏହାର ସତ୍ୟାସତ୍ୟକୁ ଚାପି ଦେବାର ଅପପ୍ରୟାସ କରୁଛନ୍ତି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦାରଖ କରି ରାଜ୍ୟ ସରକାର ଏହି ସନ୍ଦେହକୁ ଆହୁରି ଘନୀଭୁତ କରିଛନ୍ତି । ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ହେଉ କି କୁନ୍ଦୁଲି ଘଟଣାରେ ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇଥିଲେ ଏବଂ ଏହାର ଫଳାଫଳ ବିରାଟ ଶୂନ ହୋଇ ରହିଗଲା ।

ଆଜି ପର୍ଯ୍ୟନ୍ତ ଉପରୋକ୍ତ ଦୁଇଟି ଘଟଣାର କୈାଣସି ଫଇସଲା ସାମ୍ନାକୁ ଆସିଲା ନାହିଁ । ଏପରି ସ୍ଥଳେ ନବ ଦାସଙ୍କ ହତ୍ୟାର ତଦନ୍ତକୁ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଇ ରାଜ୍ୟ ସରକାର କଣ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ।

ଓଡିଶାବାସୀଙ୍କ ମନରୁ ଏହି ହତ୍ୟା ଷଡଯନ୍ତ୍ରର ସନ୍ଦେହକୁ ଦୁରୀଭୁତ କରିବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିବାକୁ ପୁନର୍ବାର ଦାବୀ କରୁଛୁ ବୋଲି ଶ୍ରୀ ହରିଚନନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ ଉପସ୍ଥିତ ଥିଲେ

Leave A Reply

Your email address will not be published.