ଶଙ୍ଖ ଫୁଙ୍କିଲେ ଅରବିନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚର୍ଚ୍ଚାର ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।  ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଅରବିନ୍ଦ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିଛନ୍ତି । ବୁଧବାର ଦିନତମାମ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମାଳମାଳ ପୋଷ୍ଟ ଦେଖିବାକୁ ମିଳିଛି ।

ତାଙ୍କ ଅନୁଗତ ଓ ସମର୍ଥକମାନେ ମଧ୍ୟ ଗୁରୁବାର ସକାଳ ୧୧ଟାରେ ଭୁବନେଶ୍ୱରରେ ବିଜେଡିରେ ମିଶୁଥିବା ନେଇ ପୋଷ୍ଟରେ ଦର୍ଶାଇଛନ୍ତି । ଅବଶ୍ୟ ବିଜୟ କିମ୍ବା ତାଙ୍କ ପୁଅ ଅରବିନ୍ଦ ଗଣମାଧ୍ୟମକୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିଜୟଙ୍କ ଶିବିର ପକ୍ଷରୁ ଏ ଚର୍ଚ୍ଚା, ଆଲୋଚନା ଓ ପୋଷ୍ଟ୍‌କୁ ଖଣ୍ଡନ ବି କରାଯାଉନଥିଲା । ମିଳିଥିବା ଖବର ଅନୁସାରେ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟ କିଛି ଅଞ୍ଚଳରୁ ବିଜୟଙ୍କ ସମର୍ଥକମାନେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ।

ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ। ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଥିଲା । ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି ।ଯଦି ଅରବିନ୍ଦ ଆଗାମୀ ନିର୍ବାଚନ ଲଢ଼ୁଛନ୍ତି, ତେବେ ବିଜୟ ନିର୍ବାଚନରେ ଭାଗ ନେବେ କି ନାହିଁ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଏମିତିକି ଅରବିନ୍ଦ ବିଜେଡିରେ ଯୋଗ ଦେବା ପରେ ବିଜୟଙ୍କ ରାଜନୈତିକ ଜୀବନ କେଉଁ ମୋଡ଼ ନେବ ତାହା ବି ଅସ୍ପଷ୍ଟ ରହିଛି । ବିଜୟ ଏବେ ବିଜେପିରେ ଥିଲେ ମଧ୍ୟ ସକ୍ରିୟ ନାହାନ୍ତି।

Leave A Reply

Your email address will not be published.