ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସିଲା ଆଇପିଏସ୍ ଆଶିଷ ସିଂଙ୍କ ମେଡିକାଲ୍ ରିପୋର୍ଟ। ସେ ଶାରିରୀକ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ। ଅର୍ଥାତ ତାଙ୍କର କୌଣସି ସ୍ବାସ୍ଥଗତ ସମସ୍ୟା ନାହିଁ। ଆଶିଷ ସିଂଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହି ରିପୋର୍ଟ ଦେଇଛନ୍ତି ଭୁବନେଶ୍ବର ଏମ୍ସର ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ। ରିପୋର୍ଟ ଆସିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନିର୍ବାଚନ କମିଶନ ଆଶିଷ ସିଂହଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।
ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁଲ ତଥ୍ୟ ଦେଇଥିବା ଇସିଆଇ କହିଛନ୍ତି। ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜୁନ ୫ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲେଖିଥିବା ଚିଠିର ଉତ୍ତର ଦେଇ ନିର୍ବାଚନ କମିଶନ ସଚିବ ରାକେଶ କୁମାର କହିଛନ୍ତି, ଆଇପିଏସ୍ ଆଶିଷ ସିଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏନେଇ ରିପୋର୍ଟ ଦେଇଛନ୍ତି। ତେଣୁ ଶ୍ରୀ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ମେଡିକାଲ ବୋର୍ଡର ରିପୋର୍ଟକୁ ପଠାଇବା ପାଇଁ କୁହାଯାଇଛି। ଶ୍ରୀ ସିଂଙ୍କ ବିରୋଧରେ ମିଛ ତଥ୍ୟ ଦେଇଥିବା ପ୍ରାରମ୍ଭିକ ପ୍ରମାଣ ମିଳିଛି। ତେବେ ମୁଖ୍ୟ ସଚିବ ଆଇନ ଅନୁସାରେ ଶ୍ରୀ ସିଂଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବା ବାକି ରହିଛି।