ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆ କପରେ ଆଜି ଭାରତ-ପାକିସ୍ତାନ ମହାମୁକାବିଲା। ବହୁ ପ୍ରତିକ୍ଷୀତ ଏହି ମ୍ୟାଚ୍ ଉପରେ ରହିଛି ସାରା ଦେଶ ଓ ବିଶ୍ୱର କ୍ରିକେଟ ଫ୍ୟାନଙ୍କ ନଜର । ଆଜି ଅପରାହ୍ଣ ୩ଟାରେ ଶ୍ରୀଲଙ୍କାର ପାଲକେଲ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ଜିତି ଏସିଆ କପ୍ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ପାକିସ୍ତାନକୁ ଧୂଳି ଚଟାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ଭାରତର ବ୍ୟାଟିଂ ପାଓ୍ୱାର ହାଉସ୍ ସାଜିବେ ହିଟ୍ ମ୍ୟାନ୍ ରୋହିତ ଶର୍ମା, ରନ୍ ମେସିନ୍ ବିରାଟ କୋହଲି, ବିସ୍ଫୋରକ ଓପନର ଶୁଭମନ୍ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା । ପାକିସ୍ତାନ ବିପକ୍ଷ ଓ୍ୱାନ ଡେରେ ରୋହିତ ଓ ବିରାଟ ଅଧିକ ରନ୍ କରିଛନ୍ତି । ଏମାନେ ଠିଆ ହେଲେ ବଡ଼ ସ୍କୋର ହେବ । ଲୋକେଶ ରାହୁଲ ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଇଶାନ୍ କିଷାନଙ୍କୁ ସୁଯୋଗ ମିଳିପାରେ । ୪ ନମ୍ୱରରେ କିଏ ଖେଳିବେ ? ବିରାଟ, ଇଶାନ୍ ନା ଶ୍ରେୟସ ଆୟାର ତାଉପରେ ନଜର ରହିଛି । ଦ୍ରୁତ ବୋଲିଂ ଭାର ଯଶପ୍ରୀତ ବୁମରାହ, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ କାନ୍ଧରେ ରହିବ । ଚତୁର୍ଥ ସ୍ପିନ ବାହିନୀ ସମ୍ଭାଳିବେ କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ।
ଅନ୍ୟପଟେ ପାକିସ୍ତାନ ବି ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ଖେଳିବ । ଏସିଆ କପ୍ ପଦାର୍ପଣ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଥିଲା । ଭାରତ ରାସ୍ତାରେ କଣ୍ଟା ସାଜି ପାରନ୍ତି ଗତ ମ୍ୟାଚର ହିରୋ କ୍ୟାପଟେନ୍ ବାବର ଆଜମ, ଇଫିତିକାର ଅହମ୍ମଦ, ମହମ୍ମଦ ରିଜୁଆନ୍, ସାହିନ ଆଫ୍ରିଦି, ନସିମ୍ ଶାହ ଓ ହାରିସ ରଉଫ । ଯେକୌଣସି ସମୟରେ ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି ଏମାନେ । ରେକର୍ଡ କହୁଛି ଏସିଆ କପରେ ଉଭୟ ଦଳ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଦିନିକିଆ ଫର୍ମାଟରେ ୧୩ଟି ମ୍ୟାଚରୁ ଭାରତ ୭ ଓ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଛି । ଟି-ଟ୍ୱେଣ୍ଟି ଫର୍ମାଟରେ ୩ଟି ମ୍ୟାଚରୁ ଭାରତ ୨ଟି ଓ ପାକିସ୍ତାନ ଜିତିଛି ଗୋଟିଏ ମ୍ୟାଚ୍ ।