୩ଘଣ୍ଟାର ବର୍ଷାରେ ବାରିପଦା ସହର ଉବୁଡୁବୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୁଧବାର ଅପରାହ୍ନରେ ତିନି ଘଣ୍ଟା ଲଗାଣ ବର୍ଷାରେ ବାରିପଦା ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ନାଳ ଓ ମହାନାଳ ଜବରଦଖଲକାରୀଙ୍କ କବଲରେ ଥିବାରୁ ଉଦବୃତ ବର୍ଷା ଜଳ ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପଶିବା ସହିତ ୱାର୍ଡ ନମ୍ବର ୭,୮,୯,୧୫,୧୭ ଆଦି ଅନେକ ୱାର୍ଡ ରାସ୍ତା ଉପରେ ବର୍ଷାପାଣି ପ୍ରବାହିତ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ମଧୁବନ ଓ ତକତପୁର ଠାରେ ଲୋକମାନେ ରାସ୍ତା ଅବରୋଧ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ, ପୁଲିସ ଓ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତତ୍କାଳ ଜଳ ନିଷ୍କାସନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଗୁରୁବାର ଏହିସବୁ ସ୍ଥାନ ମାନଙ୍କରେ ଜବରଦଖଲରେ ଥିବା ନାଳ, ମହାନାଳକୁ ବାଧା ମୁକ୍ତ କରିବା ପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ନଗରପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ବାରିପଦା ସହର ପୁଣି ଜଳମଗ୍ନ ହୋଇଛି।

ସହରର ପ୍ରବାହିତ ନାଳ, ମହାନାଳ ଗୁଡିକ ସଙ୍କୁଚିତ ହେବାରେ ଲାଗିଛି। କେଉଁଠି ଜବର ଦଖଲ ହେଲାଣି ତ କେଉଁଠି ନଦୀ ପଠା ଅନାବନା ଗଛ, ଦଳ ଓ ପଙ୍କରେ ଭର୍ତ୍ତି ହୋଇଗଲାଣି। ପ୍ରଶାସନିକ ଉଦାସୀନତା ପାଇଁ ବାରିପଦା ସହରବାସୀ ବର୍ତ୍ତମାନ ଚିନ୍ତିତ ହେଉଛନ୍ତି। ୨୦୧୩ ଫାଇଲିନ ହୋଇଥିବା ବେଳେ ବନ୍ୟା ବିଭିଷିକା କଥା ମନେ ପକାଇ ପୁଣି ସହରବାସୀ ଡରିଲେଣି। ବାରିପଦା ଏକ ଐତିହ୍ୟ ସମ୍ପନ୍ନ ସହର ଅଟେ। ବାରିପଦା ନାମର ଅର୍ଥାତ୍ ଜଳର ସହର। ରାଜତନ୍ତ୍ର ସମୟରେ ଏହି ସହର ଗଢି ଉଠିଥିଲା। ବାରିପଦା ସହର ମଧ୍ୟରେ ବୁଢାବଳଙ୍ଗ ନଦୀ ସହ ତାହାର ୩ଟି ଶାଖା ନଦୀ ଜରାଳୀ, ସରାଳୀ ଓ ସୁକ୍‌ଯୋଡ ପ୍ରବାହିତ ହେଉଛି। ବାରିପଦା ପୋୖରପାଳିକାର ସମସ୍ତ ୨୮ଟି ୱାର୍ଡରୁ ନିଷ୍କାସିତ ଦୂଷିତ ଜଳ, ବର୍ଷା ଜଳ ସମସ୍ତ ଡ୍ରେନରେ ଯାଇ ଉକ୍ତ ଜରାଳୀ, ସରାଳୀ ଓ ଶୁକ୍‌ଯୋଡ ମହାନାଳରେ ମିଶିଥାଏ। ୨୦୧୩ରେ ଫାଇଲିନ ବନ୍ୟାରେ ବେହାଲ ହୋଇ ବାରିପଦା ସହରରେ ଜଳ ପ୍ରବାହିତ ହୋଇଥିଲା। ଏହାପରେ ନଦୀ ଗୁଡିକରେ କିଭଳି ସଠିକ ଭାବେ ଜଳ ପ୍ରବାବିତ ହୋଇ ପାରିବ ସେ ନେଇ ମାଷ୍ଟର ପ୍ଲାନ ହୋଇଥିଲା। ନଦୀ ଗୁଡିକୁ ଗଭୀର କରିବାକୁ ପଦକ୍ଷେପ ନିଆଯାଇଥିଲା। ମାତ୍ର ଇତି ମଧ୍ୟରେ ଫାଇଲିନକୁ ୧୦ବର୍ଷ ବିତି ଯାଇଛି। ଏବେ ଜବରଦଖଲ ଓ ଗଛଲତାରେ ପରିପୂର୍ଣ୍ଣ ହୋଇ ପୁଣି ନଦୀ ସବୁ ଛୋଟିଆ ନାଳରେ ପରିଣତ ହେବାକୁ ଲାଗିଲାଣି। ନଦୀ କଡ଼ରୁ ପାଚେରୀ କରି ନଦୀ ପଠାକୁ ଲୋକେ ଜବର ଦଖଲ କରି ସାରିଲେଣି। ଯାହା ପ୍ରତି ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁନାହିଁ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିବା ବେଳେ ପୁଣି ସେହି ୨୦୧୩ ପରିସ୍ଥିତି ବାରିପଦା ସହରରେ ସୃଷ୍ଟି ହେବାର ଆଶଙ୍କା ସହର ବାସୀ ଚିନ୍ତିତ କରିଛି।

କ୍ଷୁଦ୍ର ଜଳସେଚନ ବିଭାଗ ମାଧ୍ୟମରେ ନଦୀ କୂଳରେ ପଥର ପେଚିଂ କରିବା ସହ ନଦୀକୁ ସମ୍ପ୍ରସାରଣ କରାଯାଇଥିଲା। କେବଳ ଏତିକି ନୁହେଁ କ୍ଷୁଦ୍ର ଜଳ ସେଚନ ବିଭାଗ ମୟୁରଭଞ୍ଜ ଦ୍ୱାରା ୨୦୧୬-୧୭ ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ବ୍ୟୟରେ କଡ଼ରେ ଗାର୍ଡ ୱାଲ ନିର୍ମାଣ ହୋଇଥିଲା। ମାତ୍ର ଇତି ମଧ୍ୟରେ ଫାଇଲିନକୁ ୧୦ବର୍ଷ ଅତିକ୍ରମ କରିଥିବା ବେଳେ ସେହି ମାଷ୍ଟର ପ୍ଲାନ ଏବେ ଲାଲି ଫିତା ତଳେ ପଡିରହିଛି। କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଏହି କାର୍ଯ୍ୟ ଥିବା ବେଳେ ବିଭାଗ ଚେଇଁ ଶୋଇଛି। ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅତିଶୀଘ୍ର ହିଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି। ନଦୀ ଗୁଡିକ ପୁନରୁଦ୍ଧାର ସାଙ୍ଗକୁ ଜବରଦଖଲକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟ ପଟେ ବାରିପଦା ପୌରପରିଷଦ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜବରଦଖଲ ଉଛେଦ କରାଯିବ ବୋଲି କୁହାଯାଇଛି। ତୁରନ୍ତ ପଦକ୍ଷେପ ଗ୍ରହଣ ନ କରିଲେ ଆନ୍ଦୋଳାତ୍ମକ ପଦକ୍ଷେପ ନିଆଯିବ ବୋଲି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନର ଉଦାସୀନତାକୁ ତୀବ୍ର ନିନ୍ଦା କରାଯାଇଛି ବୋଲି ସମ୍ପାଦକ ବିପ୍ଳବ କହିଛନ୍ତି। ତେବେ ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ନାଳ ଓ ମହାନାଳ ଗୁଡ଼ିକର ଜବରଦଖଲ ଉଚ୍ଛେଦ କରି ସଠିକ ଜଳ ନିଷ୍କାସନ ପାଇଁ ପଦକ୍ଷେପ କେବେ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.