ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଖୁବ୍ ଶୀଘ୍ର ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯଦିଓ ଏହା ଓଡ଼ିଶା ଦେଇ କେବେ ଗଡ଼ିବ ସ୍ଥିର ହୋଇନାହିଁ, ତେବେ ଏହି ଏକ୍ସପ୍ରେସ ତୟାର ହୋଇସାରିଛି । ଆସନ୍ତା ମେ ମାସରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ବର ଦେଇ ଚଳାଚଳ କରିବାକୁ କୁହାଯାଉଛି । ସେଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବଗି ଗଲା କୋଲକାତା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ। ଓଡ଼ିଶାରେ ସେକେଣ୍ଡାରୀ ମେଣ୍ଟେନାନ୍ସ ପରେ ବିଧିବଦ୍ଧ ଉଦଘାଟନ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱାଡା ଭାୟା ଭୁବନେଶ୍ୱର ଦେଇ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ । ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ସେଥିପାଇଁ ଏକ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବାହାରି କୋଲକାତା ଯାଇଛି । କୋଲକାତାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଓଡ଼ିଶା ଆସିବ । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ସମୟ ସାରଣୀ ଅନୁସାରେ ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିବା ସମ୍ଭାବନା ଅଛି। ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ରହିଥିବା ବେଳେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହିବ। ଜାରି ସମୟ ସାରଣୀ ଅନୁସାରେ ଏହି ଟ୍ରେନ୍ ପୁରୀରୁ ଅପରାହ୍ନ ୨ଟାରେ ଯାତ୍ରା ଆରମ୍ଭ କରି ସଂଧ୍ୟା ୭.୩୦ରେ ହାୱଡ଼ାରେ ପହଞ୍ଚିବ। ପ୍ରତି ଷ୍ଟେସନ୍ରେ ଟ୍ରେନଟି ୫ ମିନିଟ ରହିବ। ତେବେ ଏହି ସମୟ ସାରଣୀ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ଜଣାପଡ଼ିଛି। ତେଣୁ ସମୟ ସାରଣୀ ଚୂଡ଼ାନ୍ତ କରିବା ଉପରେ ରେଳ ବିଭାଗ କାମ କରୁଛି ।
କହିରଖେ କି, ୨୦୨୧ ଅଗଷ୍ଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ଗସ୍ତରେ ଆସିଥିବା ସମୟରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବା ନେଇ ଘୋଷଣା କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତୀୟ ରେଳବାଇ ଦ୍ୱାରା ପ୍ରଚଳନ କରାୟାଇଥିବା ଏକ ସେମି-ହାଇସ୍ପିଡ୍ ଇଲେକ୍ଟ୍ରିକ୍ ଟ୍ରେନ୍। ସୂଚନାୟୋଗ୍ୟ, ୨୦୧୯ ଫେବୃଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନର ଶୁଭାରମ୍ଭ କରିଥିଲେ। ଏହା ପ୍ରଥମେ ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଗଡିଥିଲା। ବନ୍ଦେ ଭାରତ ଏକ୍ସପ୍ରେସରେ ଅଟୋମେଟିକ ଡୋର, ଆରାମଦାୟକ ସିଟ୍, ଅନ ବୋର୍ଡ ଓ୍ୱାଇଫାଇ,ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା, ଇନଫୋଟେନମେଣ୍ଟ ବ୍ୟବସ୍ଥା ଭଳି ଅନେକ ବିଶେଷତ୍ୱ ରହିଛି। ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୮୦ କିଲୋମିଟର ରହିଥିବା ବେଳେ ନୂଆଦିଲ୍ଲୀରୁ ବାରଣାସୀ ମଧ୍ୟରେ ଥିବା ଦୂରତାକୁ ପ୍ରାୟ ୮ ଘଣ୍ଟାରେ ଅତିକ୍ରମ କରୁଛି। ଏହି ଟ୍ରେନରେ ୨ଟି ଏକଜିକ୍ୟୁଟିଭ୍ ବଗି ସମେତ ୧୬ଟି ବଗି ରହିଥିବା ବେଳେ ଏଥିରେ ହଜାରେ ୧୨୮ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହାକୁ ଅନେକ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ଡିଜାଇନ୍ କରାଯାଇଛି, ଯେଉଁଥିରେ ରିଜେନେରେଟିଭ୍ ବ୍ରେକିଂ ସାମିଲ ରହିଛି, ଯାହା ଶକ୍ତି ସଂରକ୍ଷଣ କରିବା ସହ ଏମିଶନକୁ କମ୍ କରିବାରେ ସାହାଯ୍ୟ କରିଥାଏ। ବନ୍ଦେ ଭାରତ ଏକ୍ସପ୍ରେସ ଭାରତୀୟ ରେଳବାଇର ଆଧୁନିକୀକରଣ ଏବଂ ଯାତ୍ରୀଙ୍କ ଆରାମ ଏବଂ ସୁରକ୍ଷାରେ ଉନ୍ନତି ଆଣିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଦେଶର ଅନ୍ୟ ରୁଟରେ ମଧ୍ୟ ଏହିଭଳି ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ଯୋଜନା ଚାଲିଛି, ଯାହା ଯାତ୍ରୀଙ୍କ ପାଇଁ ରେଳ ଯାତ୍ରାର ଅନୁଭୂତିକୁ ଆହୁରି ବଢ଼ାଇବ।