ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ  ଆଜି ଥିଲା ପଞ୍ଚମ ଦିନର ଶୁଣାଣି । ଆଜିର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଏହା ଏକ ଜଟିଳ ପ୍ରସଙ୍ଗ, ସମାଜ ଉପରେ ଏହାର ବ୍ୟାପକ ପ୍ରଭାବ ରହିଛି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗ ଉପରେ ଶୁଣାଣି ନକରି ସଂସଦ ଉପରେ ଛାଡ଼ିଦିଅନ୍ତୁ । ସୋଲିସିଟର ଜେନେରାଲ କହିଛନ୍ତି ଯେ ବିବାହର ସଂଜ୍ଞା କ’ଣ ତାହା ହିଁ ପ୍ରକୃତ ପ୍ରଶ୍ନ । ଏହା କାହା ମଧ୍ୟରେ ବୈଧ ବୋଲି ବିବେଚନା କରାଯିବ ତାହା କିଏ ସ୍ଥିର କରିବ? ସମଲିଙ୍ଗୀ ବିବାହକୁ ବୈଧତା ଦେବା ପାଇଁ ହୋଇଥିବା ପିଟିସନରେ ଉଠାଯାଇଥିବା ପ୍ରସଙ୍ଗକୁ ସଂସଦକୁ ଛାଡ଼ିବା ପାଇଁ ବିଚାର କରିବାକୁ ସେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ମୁଁ ପ୍ରଥମେ ଜଣେ ଅଦାଲତ ଅଧିକାରୀ ଏବଂ ଜଣେ ନାଗରିକ ଭାବରେ କହୁଛି । ଏହା ଅତ୍ୟନ୍ତ ଜଟିଳ ପ୍ରଶ୍ନ, ଏହାକୁ ସଂସଦ ଉପରେ ଛାଡ଼ି ଦିଆଯିବା ଉଚିତ। ପ୍ରଶ୍ନ ଉଠୁଛି, ବିବାହ କେମିତି ଓ କାହା ମଧ୍ୟରେ ଗଢ଼ି ଉଠିଥାଏ? କେବଳ ସମାଜ ଉପରେ ନୁହେଁ, ଅନ୍ୟ ଆଇନ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ କି? ଏହାକୁ ନେଇ ବିଭିନ୍ନ ରାଜ୍ୟ, ନାଗରିକ ସମାଜ ଗୋଷ୍ଠୀ ଓ ଅନ୍ୟାନ୍ୟ ଗୋଷ୍ଠୀ ମଧ୍ୟରେ ବିତର୍କ ହେବା ଦରକାର। ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଓ ଅନ୍ୟାନ୍ୟ ବିବାହ ଆଇନ ବ୍ୟତୀତ ଏଭଳି ୧୬୦ଟି ଆଇନ ରହିଛି ଯାହାର ପ୍ରଭାବ ପଡ଼ିବ। ଅଦାଲତ ଏକ ଜଟିଳ ବିଷୟ ଉପରେ ବିଚାର କରୁଛନ୍ତି ଯାହାର ଗଭୀର ସାମାଜିକ ପ୍ରଭାବ ରହିଛି । ବିବାହ କ’ଣ ଓ କାହା ମଧ୍ୟରେ ହେବ ତାହା କେବଳ ସଂସଦ ହିଁ ସ୍ଥିର କରିପାରିବ। ଏହାର ପ୍ରଭାବ ବିଭିନ୍ନ ଆଇନ ଓ ବ୍ୟକ୍ତିଗତ ଆଇନ ଉପରେ ପଡ଼ିଥାଏ ।

ସୂଚନାଯୋଗ୍ୟ, ନିକଟରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିକୁ ବିରୋଧ କରୁଥିବା କେନ୍ଦ୍ର ସରକାର ଏହାକୁ ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା କହି ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିଥିଲେ। ଏଥିସହ ଏହା ସାଧାରଣ ବିବହା ପରମ୍ପରାକୁ ବିଚ୍ୟୁତ କରିବ ବୋଲି ବୋଲି ମଧ୍ୟ କହିଥିଲେ। ତେବେ କେନ୍ଦ୍ର ସରକାରଙ୍କ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ଯୁକ୍ତିକୁ ଆଜି ସୁପ୍ରିମକୋର୍ଟ ଗ୍ରହଣ କରି ନାହାନ୍ତି। ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମତ ରଖିଛନ୍ତି ଯେ ସମଲିଙ୍ଗୀ ବିବାହକୁ କେବେ ହେଲେ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କୁହାଯାଇ ପାରିବ ନାହିଁ। ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ବାହାର କରିବା ପରେ ଏହା ଅଧିକ ପ୍ରଚଳିତ ହୋଇଛି। ଅଧିକ ସହରୀ ଲୋକ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଏହା ସହରୀ ଲାଗିପାରେ। କିନ୍ତୁ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣ କରିବା ପାଇଁ ସରକାର ପାଖରେ କୌଣସି ତଥ୍ୟ ନାହିଁ। ସିଜେଆଇ ଆହୁରି କହିଛନ୍ତି, “ଜଣେ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ନ ଥିବା ଆଚରଣ ଅନୁସାରେ ସରକାର ତାଙ୍କ ସହ କୌଣସି ପ୍ରକାରର ଭେଦଭାବ କରିପାରିବେ ନାହିଁ। ଅପାଣ ଯେତେବେଳେ ଗୋଟିଏ ବିରଳ ଆଚରଣ ଦେଖୁଛନ୍ତି ସେତେବେଳେ ଏହାକୁ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ କହି କାଉଣ୍ଟର କରୁଛନ୍ତି। ସହରୀ କହିବାର କାରଣ ହେଉଛି ଯେ ସହରରେ ରହୁଥିବା ଲୋକମାନେ ଖୋଲାଖୋଲି ଭାବେ ନିଜର କଥା କହୁଛନ୍ତି। ହେଲେ ସରକାରଙ୍କ ପାଖରେ ସମଲିଙ୍ଗୀ ବିବାହ ‘ସହରୀ ସଂମ୍ଭ୍ରାନ୍ତ ଚିନ୍ତାଧାରା’ ବୋଲି ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ନାହିଁ ବୋଲି ସିଜେଆଇ କହିଛନ୍ତି। ଏବେ ସୁପ୍ରିମକୋର୍ଟ ଗୁରୁବାର ମଧ୍ୟ ଏହି ଏ ସମ୍ପର୍କିତ ଆବେଦନର ଶୁଣାଣି କରିବେ। ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ ଏସ୍‌କେ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପି ନରସୀମା ଅଛନ୍ତି ।

Leave A Reply

Your email address will not be published.