ଭୁବନେଶ୍ବର ପୁଣି ରାଜ୍ୟର ଉତ୍ତପ୍ତ ସହର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ଆଶ୍ୱସ୍ତି କର ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ | କେ‌ବଳ ଯେ ତାପମାତ୍ରା ବଢ଼ିଥିଲା ତାହା ନୁହେଁ, ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ ମାଡ଼ ମଧ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା।

ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ରାସ୍ତାରେ ଲୋକଙ୍କୁ କାଁ ଭାଁ ଦେଖିବାକୁ ମିଳୁଥିଲା। ତାତିର କୋପ ଏମିତି ଥିଲା ଯେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଲୋକେ ତ୍ରାହିତ୍ରାହି ଡାକିଥିଲେ। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ଯାହାର ଫଳରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବାର ପୂର୍ବାନୁମାନ କରାଯାଇଛି।

୪୩.୬ ଡିଗ୍ରି ସହ ଭୁବନେଶ୍ବର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଏହା ତଳକୁ ୪୩.୫ ଡିଗ୍ରି ସହ ବୌଦ୍ଧ ଦ୍ବିତୀୟ ଓ ୪୩.୩ ଡିଗ୍ରି ସହ ଅନୁଗୁଳ ତୃତୀୟ ସ୍ଥାନରେ ରହିଥିଲା। ଝାରସୁଗୁଡ଼ାରେ ୪୨.୮, ବାରିପଦାରେ ୪୨.୬, ଖୋର୍ଦ୍ଧା, ଟିଟିଲାଗଡ଼ ଓ ମାଲକାନଗିରିରେ ୪୨.୫, ଜଗତ୍‌ସିଂହପୁରରେ ୪୨.୩, ନୂଆପଡ଼ା, ସମ୍ବଲପୁର, ବାଲେଶ୍ବର, ତାଳଚେର ତାପମାତ୍ରା ୪୨.୨, ଭବାନୀପାଟଣା, ବଲାଙ୍ଗୀର, ନୟାଗଡ଼ ଓ ଢେଙ୍କାନାଳରେ ଦିନର ତାପମାତ୍ରା ୪୨ ଡିଗ୍ରି ରେକର୍ଡ ହୋଇଥିଲା।

Leave A Reply

Your email address will not be published.