ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିଶା ପାଇଁ ଉଜୁଡ଼ିଲା ସୁନାର ସଂସାର । ନିଶାରୁ ଦୂରେଇ ରହିବା ପାଇଁ ଆକଟ କରିବାକୁ ଯାଇ ବଡ଼ ଭାଇର ମାଡ଼ରେ ଗଲା ସାନଭାଇ ରାଜମୋହନ ସେନାପତିର ଜୀବନ । ରାଜଧାନୀ ନୟାପଲ୍ଲାରେ ଘଟିଥିବା ଏହି ହତ୍ୟା ମାମଲାରେ ଅଭିଯୁକ୍ତ ବଡ଼ଭାଇ ବିଶ୍ୱମୋହନ ସେନାପତି ଏବେ ଜେଲରେ । ନୟାଗଡ଼ର ଏହି ଦୁଇ ଭାଇ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ କ୍ୟାରିଅର ଗଢ଼ିବା ପାଇଁ ଭୁବନେଶ୍ୱର ଆସିଥିଲେ । ବଡ଼ଭାଇ ବିଶ୍ୱ ନୟାପଲ୍ଲୀରେ ଓ ସାନ ଭାଇ ରାଜ୍ ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ଆଉ ଏହା ଭିତରେ ନିଶା କବଳରେ ପଡ଼ିଥିଲା ରାଜ । ଘରୁ ଟଙ୍କା ଆଣି ଉଡ଼ାଉଥିଲା । ତାକୁ ବାଟକୁ ଆଣିବା ପାଇଁ ବଡ଼ଭାଇ ଉଦ୍ୟମ କରିଥିଲେ । ଆଉ ଦୁଇଭାଇଙ୍କ ମଧ୍ୟରେ ବଚସାରୁ ଜଣଙ୍କ ଜୀବନ ଚାଲି ଯାଇଛି । ଏଭଳି ଘଟଣାରେ ଆଇପିସିର ଧାରା ୩୦୨ ନୁହେଁ ୩୦୪ରେ ମାମଲା ରୁଜୁ ହୋଇଥାଏ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । କାରଣ ଏହି କ୍ଷେତ୍ରରେ ହତ୍ୟା ପାଇଁ ବଡ ଭାଇର ସେଭଳି କିଛି ଉଦ୍ଦେଶ୍ୟ ନଥିବା ପରି ଜଣାପଡୁଛି ।
କେବଳ ଏହି ଗୋଟିଏ ଘଟଣା ନୁହେଁ । କ୍ୟାରିଅର ଗଢ଼ିବା ପାଇଁ ଗାଁରୁ ରାଜଧାନୀ ଆସୁଥିବା ଯୁବପିଢ଼ି ନିଶା କବଳରେ ପଡ଼ି ବର୍ବାଦ ହେଉଛନ୍ତି । ଏପରିକି ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି । ଆଉ ଶେଷରେ ପରିଣତି ଅତି ଭୟଙ୍କର ହେଉଛି । ଏଥିପାଇଁ ଅଭିଭାବକମାନେ ପିଲାମାନଙ୍କୁ ଠିକ୍ ଭାବେ ସୁପରଭିଜନ କରିବାର ଆବଶ୍ୟକ ରହିଛି । ସେମାନେ ନିଶା ସେବନ କରୁଛନ୍ତି କି ନାହିଁ ତା ଉପରେ ବାପାମାଆ ନଜର ରଖିବା ଉଚିତ । କେବଳ ପରିବାର ନୁହେଁ ହଷ୍ଟେଲରେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି କହିଛନ୍ତ ମାନସିକ ରୋଗ ବିଶେଷଜ୍ଞ । ଗତକାଲି ନୟାପଲ୍ଲୀ ଅଞ୍ଚଳରେ ବଡ଼ଭାଇର ମାଡ଼ରେ ସାନଭାଇର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି ।