ଚିତ୍ରକୁଣ୍ଡା(ଓଡ଼ିଆ ନ୍ୟୁଜ୍): ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ୧୩ନଂ ଗାଁ ଛକରୁ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ନିଶାଦ୍ରବ୍ୟ ଚୋରା ଚାଲାଣାର ଖବର ପାଇ ଚିତ୍ରକୁଣ୍ଡା ପୁଲିସ୍ ଆରଏସସି ୧୩ ନଂ,୧୧ନଂ ଓ ୧୦ ନଂ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିଥିଲା । ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଥିଲା। ଯାଞ୍ଚ ବେଳେ କିଛି ଯୁବକ ଆରଏସ୍ସି ୧୩ନଂ ଛକ ଠାରୁ ଦୁଇଶହ ମିଟର ଦୂରରେ ଥିବା ଗୋଟିଏ ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବା ପୁଲିସ୍ ଦେଖି ଜଙ୍ଗଲ ଭିତରକୁ ଦୌଡ଼ିଥିଲେ। ପୁଲିସ୍ ମଧ୍ୟ ସେମାନଙ୍କୁ ପିଛା କରିବା ଆରମ୍ଭ କରିଥିଲା।
ଦୀର୍ଘ ସମୟର ଧରପଗଡ଼ ପରେ ପୁଲିସ୍ ପଞ୍ଝାରେ ୨ ଜଣ ଯୁବକ ଧରାପଡ଼ିଥିଲେ। କିନ୍ତୁ ଅନ୍ୟମାନେ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କୁ ଧରିବା ପରେ ପୁଲିସ୍ ଜଙ୍ଗଲ ଭିତରେ ୬୪ଟି ଜରି ବସ୍ତାରେ ରଖାଯାଇ ଥିବା ଗଞ୍ଜେଇ ଗୁଡ଼ିକ ପାଖରେ ପହଞ୍ଚିଥିଲା। ଗଞ୍ଜେଇ ସହ ଚାଲାଣ ପାଇଁ ସେଠାରେ ଥିବା ଗୋଟିଏ ବାଇକ(ଏପି ୦୫ ଇଭି ୨୩୫୯) ଓ ଗୋଟିଏ ମହେନ୍ଦ୍ରା ବୋଲେରୋ(ଓଡି ୧୦ ଡି ୭୦୪୩)କୁ ପୁଲିସ ଜବତ କରିଛି। ଏହି ବସ୍ତା ଗୁଡ଼ିକରେ ମୋଟ ୧୫୯୬ କେଜି ୩୦୦ ଗ୍ରାମ ଗଞ୍ଜେଇ ରହିଥିଲା। ଏହାର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ କହିଛି।