ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏନ୍ଏସ୍ସି କାଭା ମହିଳା ଭଲିବଲ୍ ଚ୍ୟାଲେଞ୍ଜ କପ୍ ୨୦୨୩ରେ ଭାରତର ବିରାଟ ବିଜୟ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଚାମ୍ପିଅନ୍ ହେବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛି। କାଠମାଣ୍ଡୁଠାରେ ଚାଲୁଥିବା ଏନ୍ଏସ୍ସି କାଭା ମହିଳା ଭଲିବଲ୍ ଚ୍ୟାଲେଞ୍ଜ କପ୍ ୨୦୨୩ରେ ବିଶ୍ୱର ଅନ୍ୟତମ ଦୁର୍ଦ୍ଧର୍ଷ ଭଲିବଲ ଦଳ କାଜାଖସ୍ତାନକୁ ଫାଇନାଲ୍ରେ ୩-୦ସେଟ୍ (୨୫-୧୫, ୨୫-୨୨, ଓ ୨୫-୧୮)ରେ ମାତ ଦେଇ ଭାରତୀୟ ମହିଳା ଦଳ ଚାମ୍ପିଅନ୍ ହୋଇଛି । ମେ ୨୨ରୁ ୨୮ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଏହି ପ୍ରତିଯୋଗିତା ଚାଲିଥିଲା।
ଭାରତର ଉଲ୍ଲେଖନୀୟ ସଫଳତା ପରେ ଭାରତୀୟ ଭଲିବଲ୍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ କାଭା ବୋର୍ଡ ଅଫ୍ ଆଡମିନିଷ୍ଟ୍ରେଟିଭ୍ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଭାରତର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି କୋଣ ଅନୁକୋଣରେ ଭଲିବଲ୍ ଏକ ଲୋକପ୍ରିୟ ଖେଳ ଭାବେ ବେଶ ଆଦୃତ। ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍ ସଂଘର ସଭାପତି ହେବା ପରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଭଲିବଲରେ ଉଲ୍ଲେଖନୀୟ ଉନ୍ନତି ଘଟିଥିବା କୁହାଯାଉଛି। ଗତବର୍ଷ ମଧ୍ୟ ଭାରତୀୟ ମହିଳା ଭଲିବଲ୍ ଦଳ ଥାଇଲାଣ୍ଡରେ ଏଭିସି ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ହାସଲ କରିଥିଲା। ଦୀର୍ଘ ଦିନ ବ୍ୟବଧାନରେ ଭାରତୀୟ ଭଲିବଲ ଦଳ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିଛି ବୋଲି ଭଲିବଲପ୍ରେମୀମାନେ ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀ ସାମନ୍ତଙ୍କ ଜରିଆରେ ଭାରତୀୟ ଭଲିବଲ୍ ଖେଳାଳିଙ୍କୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବ୍ୟାପକ ସୁବିଧା ଓ ସୁଯୋଗ ଯୋଗାଇ ଦେଇଥିବାରୁ ଆଜି ଭାରତୀୟ ଦଳ ସଫଳତା ହାସଲ କରିପାରିଛି ବୋଲି ଭାରତୀୟ ଭଲିବଲ୍ ସଂଘର ସମସ୍ତ କୋଚ ସମସ୍ତ ଖେଳାଳି ଓ ସଦସ୍ୟମାନେ କହିବା ସହ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।