ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରୁଛି, ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଡାହା ମିଛ ଶୋଭା ପାଉନାହିଁ: ଲେଖାଶ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ମୁଖିଆ ନବୀନ ବାବୁ ସର୍ବଦା ମହିଳାଙ୍କ ସମ୍ମାନ, ଆଦର, ସୁରକ୍ଷା କଥା କହୁଛନ୍ତି କିନ୍ତୁ ବାସ୍ତବ ଛବି ଓଡିଶାବାସୀ ସ୍ପଷ୍ଟ ଜାଣନ୍ତି । ବିଜୁ ଜନତା ଦଳ ମହିଳାଙ୍କୁ ବାରମ୍ବାର ଅପମାନିତ କରି ଚାଲିଛି ।  ମୁଖ୍ୟମନ୍ତ୍ରୀ ଗୋଟିଏ ମିଛକୁ ବାରମ୍ବାର ଦୋହରାଇ ସତ ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି ସରକାରଙ୍କ ମହିଳା ସମ୍ମାନର ମିଛ ପେଡି ଖୋଲିଲେ ଘଂଟା ଘଂଟା ବିତିଯିବ । ନବୀନ ବାବୁଙ୍କ ୨୩ବର୍ଷ ଶାସନରେ ଓଡିଶାର ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ ଏକାଥା ଏନସିଆରବି ରିପୋର୍ଟରେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଜଣେ ସାଧାରଣ ପରିବାର ଝିଅ ମମିତା ମେହେର କଲେଜରେ ପାଠପଢ଼ାଇ ତାର ପରିବାର ଚଳାଉଥିଲା କିନ୍ତୁ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ବାରମ୍ବାର ମହାଲିଙ୍ଗ କଲେଜକୁ ଯାଇ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ମମିତା ମେହେର ସହ ଯେଉଁ ଜଘଂନ୍ୟ କାଣ୍ଡ ହେଲା ତାହା କଣ ମାଙ୍କୁ ସମ୍ମାନ?  ମମିତାଙ୍କୁ ହତ୍ୟା କରାଯାଇ ତାର ଶରୀରକୁ ଅଧା ପୋଡା କରି ମାଟିରେ ପୋତାଗଲା । ମାଟିତଳୁ ଅଧା ପୋଡା ଶବ ମିଳିଲା ।  ରୋଜଗାର କରି ପରିବାର ଚଳାଉଥିବା ଝିଅକୁ ଏପରି ହତ୍ୟା କରାଯିବା ନବୀନ ବାବୁଙ୍କ ମାକୁ ସମ୍ମାନ କି ବୋଲି ରାଜ୍ୟ ସାଧାରଣ ସଂପାଦିକା  ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ ପଚାରିଛନ୍ତି ।

ଝାରସୁଗୁଡାରେ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ଲେଖାଶ୍ରୀ ଆହୁରି କହିଛନ୍ତି ଯେ, ନୟାଗଡର ୫ବର୍ଷର ଶିଶୁ ପରୀ ନିଖୋଜ ହେବାପରେ ବାପା ମା ପୋଲିସ ପାଖରେ ଫେରାଦ ହେଲେ । ୮ମାସ ପରେ ଅଖାରୁ ହାଡ ମିଳିଲା । ଘଟଣାକୁ ଚାପି ଦେବା ପାଇଁ କ୍ରାଇମବ୍ରାଂଚ ତଦନ୍ତର ନାଟକ ରଚାଗଲା ।  ସେତେବେଳେ ସେହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି କଥା ଆସିଥିଲା । ହେଲେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ତଦନ୍ତ କରାଇ ଅରୁଣ ସାହୁଙ୍କୁ କ୍ଲିନଚିଟ୍ ଦିଆକରାଇଲେ । ଆଜି ବି ପରିର ବାପାମାଆ ତାଙ୍କର ହତ୍ୟାକାରୀକୁ ଦଣ୍ଡ କେବେ ମିଳିବ ଚାହୌିଁ ବସିଛନ୍ତି ।

ବିଜେଡି ଅଫିସ ଉଦଘାଟନ ଦିନ ସଂଯୁକ୍ତା ମହଲା ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ବିଜେଡି ଅଫିସରୁ କାନ୍ଦି କାନ୍ଦି ଫେରିଲେ । କାହିଁ ସେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ପଦେ ପାଟି ଖୋଲିଲେ ନାହିଁ । ସେ ଶ୍ରମମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କଲେ, ଥାନାରେ ଆସି ମନ୍ତ୍ରୀଙ୍କ ନାଁରେ ଏତଲା ଦେଲେ ଓ ଗଣମାଧ୍ୟମ ସାମ୍ନାରେ ମନ୍ତ୍ରୀଙ୍କ ନାଁ କହିଲେ ।  ତାଙ୍କର ଡାକ୍ତରୀ ମାଇନା ମଧ୍ୟ ହୋଇଥିଲା, ସେ ଆଜିବି ନ୍ୟାୟ ପାଇନାହାନ୍ତି । ଆଉଜଣେ ବିଧାୟକ ବିଜୟ ଶଙ୍କର କେଉଁ ର‌୍ୟାକେଟ ଚଲାଉଥିଲେ ସେ କଥା ସମସ୍ତଙ୍କୁ ଜଣା । ସୋନାଲିକାଙ୍କୁ କିପରି ନିର୍ଯ୍ୟାତନା ଦେଲେ ସେକଥା ସମସ୍ତେ ଜାଣିଛନ୍ତି । କାହିଁ ସେତେବେଳେ ତ ମୁହଁ ଖୋଲିଲେନି ମୁଖ୍ୟମନ୍ତ୍ରୀ । ସ୍ମିତାରାଣୀଙ୍କ ସମ୍ପର୍କ ବିଧାୟକ ପ୍ରଣବଙ୍କ ସହ ବାହାରିଲା । କେଉଁଠି ଅଟକିଲା ସ୍ମିତାରାଣୀଙ୍କ ହତ୍ୟାକାଣ୍ଡର ତଦନ୍ତ । କାହିଁ ମୁଖ୍ୟମନ୍ତ୍ରୀଙ୍କ ସେତେବେଳେ ମାଙ୍କ ସମ୍ମାନର କଥା ମନେ ପଡିଲାନି । ମୁଖ୍ୟମନ୍ତ୍ରୀ ଏ ବୟସରେ ମିଛର ଆଶ୍ରୟ ନେଉଛନ୍ତି ଓ ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ମହିଳା ସମ୍ମାନ କେବଳ ନିର୍ବାଚନୀ  ମୋହରା ବୋଲି ଲେଖାଶ୍ରୀ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.