ଓସିଏ ସଭାପତି ନିର୍ବାଚନ ଲଢିବେ ବିଜେଡିର ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାସ, ସର୍ବସମ୍ମତି କ୍ରମେ ହେବ ନିର୍ବାଚନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ର ସଭାପତି ନିର୍ବାଚନ ଲଢିବେ ବିଜେଡିର ତୁଙ୍ଗ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ସର୍ବସମ୍ମତି କ୍ରମେ ହେବ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସଭାପତି ନିର୍ବାଚନ । ପ୍ରଣବଙ୍କ ନାମରେ ଓସିଏର ବିଭିନ୍ନ ଜିଲ୍ଲା ସଦସ୍ୟ ପ୍ରସ୍ତାବ ଦେଇଥିବା ଜଣାପଡିଛି। ପୁରୀରେ ନିର୍ବାଚନ ପ୍ରସ୍ତୁତି ବୈଠକ ବେଳେ ବିଜେଡି ନେତାଙ୍କ ନାଁରେ ଏହି ପ୍ରସ୍ତାବ ଆସିଥିଲା। ଏଥିରେ ଅଧିକାଂଶ ସଦସ୍ୟ ପ୍ରଣବଙ୍କ ନାଁରେ ସହମତି ଦେଇଛନ୍ତି।

ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପ୍ରାର୍ଥୀ ଓ ସଞ୍ଜୟ ବେହେରା ସମ୍ପାଦକ ପ୍ରାର୍ଥୀ ହେବେ । ବାକି ପଦବୀରେ ପ୍ରାର୍ଥୀ ଚୟନ ଖୁବଶୀଘ୍ର ହେବ । ଗତକାଲି ପୁରୀରେ ଆଶୀର୍ବାଦ ବେହେରା ପ୍ୟାନେଲର ଏକ ବୈଠକ ବସିଥିଲା । ସେଠାରେ ଉପସ୍ଥିତ ଥିଲେ ୫୫ ଜଣ ଅନୁବନ୍ଧିତ ସଦସ୍ୟ । ସେଠାରେ ସର୍ବସମ୍ମତିରେ ଓସିଏ ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀରେ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ହୋଇଛି ।

ସୂଚନା ମୁତାବତ ଆସନ୍ତା ୨୧ରେ ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବ । ୨୨ରେ ଯାଞ୍ଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ କରାଯିବ । ୨୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ସହ ଚୁଡାନ୍ତ ତାଲିକା ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୨୮ରେ ମଧ୍ୟ ହୋଇପାରେ ନିର୍ବାଚନ ।

ଓଡ଼ିଶା କ୍ରିକେଟ ଆସୋସିଏସନର ମୋଟ୍‌ ୭୩ ସଦସ୍ୟଙ୍କ ଭିତରୁ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ ସପକ୍ଷରେ ରହିଛି ୬୮ ଜଣଙ୍କର ସମର୍ଥନ । ଆଶୀର୍ବାଦ ବେହେରା କହିଛନ୍ତି, ଯେଉଁ ରାଜନୈତିକ ଦଳର ବ୍ୟକ୍ତି ଆସିଲେ ବି କ୍ରିକେଟର ବିକାଶ ହିଁ ମୂଳ ଲକ୍ଷ୍ୟ ହେବ । ବାରବାଟୀ ଆହୁରି ଆଗକୁ ଯିବ । ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ନିର୍ବାଚିତ ହେଲେ ସରକାରଙ୍କ ସହ ସମନ୍ଵୟ ରହି ପାରିବ । ବାରବାଟୀ ଷ୍ଟାଡିୟମରେ ଭିତ୍ତିଭୂମିର ଅଧିକ ବିକାଶ ହୋଇପାରିବ । ୨୮ ତାରିଖରେ ଓସିଏ ନିର୍ବାଚନ ହେବ ।

Leave A Reply

Your email address will not be published.