ରାୟଗଡ଼ା ଗର୍ଭବତୀ ଦଳିତ ମହିଳାଙ୍କ ଅକାଳ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି,୭ଜଣିଆ ଟିମ୍ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡ଼ା ଜିଲ୍ଲାର ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାଶୀପୁର ବ୍ଲକ ଅନ୍ତର୍ଗତ ଅଣ୍ଡିରାକଂଚ ଥାନା ଅଧିକାରୀଙ୍କ ବର୍ବର ଅତ୍ୟାଚାରର ଶିକାର ହୋଇ ଅଣ୍ଡିରା କଂଚ ଗାଁର ଜଣେ ନୀରିହ ଗର୍ଭବତୀ ଦଳିତ ମହିଳା ସୁଲାବତୀ ନାୟକ ଓ ତରଫ ମୂଲା ନାଏକ ଅକାଳ ମୃତ୍ୟୁବରଣ କରିଛନ୍ତି । ଉତ୍କଳ ଆଲୁମିନିୟମ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ତ ଜମିହରା ମହିଳାମାନେ ଦୈନଦିନ କାମ ଯୋଗାଇଦେବା ଦାବିରେ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଆସୁଥିଲେ । ପୂର୍ବରୁ ସ୍ଥାନୀୟ ତହସିଲଦାର, କମ୍ପାନୀ କର୍ତୃପକ୍ଷଙ୍କ ଉପସ୍ଥିତିରେ କାମ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ନହେବାରୁ ପୁନର୍ବାର ଅଣ୍ଡିରାକାଂଚ ଗ୍ରାମର ମହିଳାମାନେ ଶାନ୍ତିପୂର୍ଣ୍ଣ ଧାରଣାର ବସିଥିଲେ । ଗତ ଡିସେମ୍ବର ୨୬ତାରିଖ ଦିନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ମହିଳାମାନଙ୍କୁ ଗିରଫ କରି ତା’ପରଦିନ କୋର୍ଟ ଚାଲାଣ କରିଥିଲା । ୧୩ଜଣ ମହିଳାମାନଙ୍କୁ ମଧ୍ୟରୁ ୪ଜଣ ପ୍ରସୂତୀ ଓ ୪ଜଣ ନବଜାତ ଶିଶୁଥିଲେ ମଧ୍ୟ ପୋଲିସ ସେମାନଙ୍କର ସ୍ୱାସ୍ଥ୍ୟପ୍ରତି ଭ୍ରୁକ୍ଷେପ ନକରି ଶାରୀରିକ ନିଯ୍ୟାତନା ଦେବା ସହ ବିଶ୍ରାମ ନଦେଇ ୨୦ଘଂଟା ପରେ କୋର୍ଟକୁ ପଠାଇ ଜେଲ ଯିବାର ବ୍ୟବସ୍ଥା କରିଥିଲେ ବୋଲି ଜାତି, ଜନଜାତି ବର୍ଗର ରାଜ୍ୟ ସଭାପତି ଶ୍ରୀ ବିଭୂ ପ୍ରସାଦ ତରାଇ କହିଛନ୍ତି ।
ଗତ ଜାନୁୟାରୀ ୦୬ତାରିଖ ସେମାନଙ୍କ ଜାମିନ ମଞ୍ଜୁର ହେଲାପରେ, ପୁନର୍ବାର କମ୍ପାନୀର ଆସିଷ୍ଟାଂଟ ସେକ୍ରେଟାରୀ ଅଫିସର ରଙ୍କନିଧି ନାୟକଙ୍କ ଦ୍ୱାରା କପୋଳ କଳ୍ପିତ ମିଥ୍ୟା ମକଦ୍ଦମା ଆଧାରରେ ପୋଲିସର ଦ୍ୱିତୀୟ ମାମଲାର ହତ୍ୟା ଉଦ୍ୟମ ପରି ସଙ୍ଗୀନ ଦଫା ୟୁ/ଏସ-୩୦୭(ଆଇପିସି) ଯୋଗୁ ମହିଳାମାନଙ୍କୁ ଜେଲରେ ରହିବାକୁ ପଡିଲା । ଗତ ୧୦ତାରିଖ ଦିନ କୋର୍ଟ ମକଦ୍ଦମାର ଭିତିହୀନ ଅଭିଯୋଗକୁ ଅନୁଭବ କରି ସମସ୍ତ ମହିଳାଙ୍କୁ ଜାମିନ ପ୍ରଦାନ କଲା । କିନ୍ତୁ ଏହି ୧୪ଦିନର ଜେଲ୍ ରହଣି ସମୟରେ ଜେଲ୍ କର୍ତୃପକ୍ଷଙ୍କ ଦ୍ୱାରା ଅସୁସ୍ତ ମୂଲା ନାୟକ ଓ ଅନ୍ୟ ଅସୁସ୍ଥ ମହିଳାମାନଙ୍କର କୌଣସି ଚିକିତ୍ସାର ସୁବିଧା ସାଙ୍ଗକୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଗଲା ।

ଜେଲ୍‌ରୁ ମୁକୁଳିବା ପରେ ରାୟଗଡାଠାରୁ ୮୦କିମି ଦୂର ଅଣ୍ଡିରାକଂଚ ଗ୍ରାମକୁ ରାତିରେ ଯିବା ସମ୍ଭବ ନହେବାରୁ ସେଠାରେ ରାତ୍ରିଯାପନ କରିଥିଲେ । ଗତ ୧୧ତାରିଖ ସକାଳେ ସୁଲାବତୀ ଓରଫ ମୂଲାର ପ୍ରସବ ଯନ୍ତ୍ରଣା କାରଣରୁ ତାଙ୍କୁ ରାୟଗଡା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଏକ ଦୁର୍ବଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା ତ ସେଠାରେ ସେ ମୃତ୍ୟୁବରଣ କରିଥିଲେ ବୋଲି ଶ୍ରୀ ତରାଇ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କର ପୁନଃବସତି ଓ ଥଇଥାନ ନୀତି(ଆର ଏଣ୍ଡ ଆର ପଲିଟି) ନିଯୁକ୍ତି କ୍ଷେତ୍ରରେ ବିସ୍ଥାପିତ ଜମିହରା ଓ କ୍ଷତିଗ୍ରସ୍ତଙ୍କ ପାଇଁ ଏକ ଧୂଆଁବାଣ । ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ମହିଳାମାନଙ୍କୁ କାମ ଯୋଗାଇଦେବା ପରିବର୍ତେ ମିଥ୍ୟା ମୋକଦ୍ଦମାରେ ସଙ୍ଗୀନ ଦଫା ଆଧାରରେ ଗିରଫ କରି ଅତ୍ୟାଚାର କରିବା “ମାକୁ ସମ୍ମାନ ଓ ଗାଁକୁ କାମ”ର ସ୍ଲୋଗାନ “ପାଣିରେ ଗାର”ରେ ରୂପ ନେଇଛି । ଜିଲ୍ଲାର ଏସପି ଓ ଥାନାର ଆଇଆଇଏଲ ଓ ଜେଲ କର୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ନିଯ୍ୟାତନା ଓ ଉର୍ଦ୍ଦେଶ୍ୟମୂଳକ ଅବହେଳା, କମ୍ପାନୀ ପ୍ରୀତି ଓ ତୁଷ୍ଟିକରଣ ନୀତି ପାଇଁ ଜଣେ ନୀରିହ ଦଳିତ ମହିଳା ମୂଲା ନାୟକଙ୍କର ଅକାଳ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପାହାଡି ଇଲାକାରେ ଅନ୍ଧାରୀ ଶାସନର ଏକ ଚରମ ନିଦର୍ଶନ । ୭୫ବର୍ଷର ସ୍ୱାଧୀନତା ପରେ ଆର୍ଥିକ ଦୂରାବସ୍ଥା ଭିତରେ, ବେରୋଜଗାରୀଭାବେ ବଂଚୁଥିବା ଦଳିତ, ଆଦିବାସୀ, ମହିଳାମାନଙ୍କୁ ପଶୁତୁଲ୍ୟ ଅତ୍ୟାଚାର କରି ସେମାନଙ୍କର ଗଣତାନ୍ତ୍ରିକ ଅଧିକାରର ସ୍ୱରକୁ ଚାପି ଦେବା ପାଇଁ ପୋଲିସର ହୀନପ୍ରୟାସ, ଅମାନବିକତା ତଥା ନିଷ୍ଠୁର ଆଚରଣ ଅନ୍ଧାରୀ ଓ କଳଙ୍କିତ ଶାସନର ନଗ୍ନ ଉଦାହରଣ । ତେଣୁ ୨୩ବର୍ଷର ନବୀନ ପଟ୍ଟନାୟକଙ୍କର ସରକାର ମହିଳା, ଦଳିତ ଓ ଆଦିବାସୀଙ୍କ ସ୍ୱାର୍ଥ ବିରୋଧି ସରକାର ବୋଲି ଶ୍ରୀ ତରାଇ କହିଛନ୍ତି ।
ମୂଲା ନାଏକଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ଅବହେଳା ଜନିତ ମୃତ୍ୟୁର ନ୍ୟାୟିକ ତଦନ୍ତ ପାଇଁ ଗୃହବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ । ପୀଡିତାର ପରିବାରକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ, ରାୟଗଡା ଜିଲ୍ଲାର ଏସ୍‌ପି ଓ ଅଣ୍ଡିରାକଂଚ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଉ, ପୁନଃବସତି ଓ ଥଇଥାନ ନୀତି ଅନୁଯାୟୀ ବିସ୍ଥାପିତ, ଜମିହରା ଓ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଆଲୁମିନା କମ୍ପାନୀରେ ନିଯୁକ୍ତି ଦିଆଯାଉ । ଶାନ୍ତିପୂର୍ଣ୍ଣ ଗଣଧାରଣା ଓ ଆନ୍ଦୋଳନରେ ସାମିଲ ହୋଇ ନ୍ୟାୟୋଚିତ ଦାବି ହାସଲ ପାଇଁ ଲଢ଼ିଥିବା ପ୍ରଜାମାନଙ୍କ ବିରୁଦ୍ଧରେ କରାଯାଉଥିବା ମୋକଦ୍ଦମାଗୁଡିକ ସରକାର ପ୍ରତ୍ୟାହାର କରନ୍ତୁ । ଏ ପ୍ରସଙ୍ଗରେ ଜାନୁଆରୀ ୧୬ରେ ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଶ୍ରୀ ତରାଇ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.